# ହିଡ଼ସିଂହ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ ଅବଦାଲ ମୁହମଦ ଅଖତର
**ଅନୁଗୋଳ, (ଜାଗ୍ରତ ଭାରତ ନ୍ୟୁଜ୍):** ଅନୁଗୋଳ ଜିଲ୍ଲାର ଜଳସେଚନ ଭିତ୍ତିଭୂମିର ବିକାଶ ଦିଗରେ ପ୍ରସ୍ତାବିତ ହିଡ଼ସିଂହ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅବଦାଲ ମୁହମଦ ଅଖତର। ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (SE) ଏବଂ ଅନ୍ୟାନ୍ୟ କ୍ଷେତ୍ରୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ପ୍ରକଳ୍ପସ୍ଥଳ ପରିଦର୍ଶନ କରି ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗର ସ୍ଥିତି ଅନୁଧ୍ୟାନ କରିଥିଲେ।
ପରିଦର୍ଶନ ସମୟରେ ପ୍ରସ୍ତାବିତ ଡ୍ୟାମ୍ର ଅକ୍ଷ (Dam Axis), ସର୍ବୋଚ୍ଚ ଜଳସ୍ତର (FRL), ନିର୍ମାଣ ହେବାକୁ ଥିବା କେନାଲର ପ୍ରସ୍ତାବିତ ମାର୍ଗ ଏବଂ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଗ୍ରାମଗୁଡ଼ିକ ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ।
ଏଥିସହ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବା ପାଇଁ ଆବଶ୍ୟକ ବିଭିନ୍ନ ଆଇନଗତ ଅନୁମତି ଏବଂ ଜଙ୍ଗଲ ବିଭାଗର ଅନୁମୋଦନ ପ୍ରକ୍ରିୟାର ଅଗ୍ରଗତି ନେଇ ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ।
ପ୍ରକଳ୍ପର ବୈଷୟିକ ଦିଗ, କେନାଲର ରୂପରେଖ ଓ ଆବଶ୍ୟକ ଅନୁମତି ସମ୍ପର୍କିତ କାର୍ଯ୍ୟଗୁଡ଼ିକର ବର୍ତ୍ତମାନ ସ୍ଥିତି ବିଷୟରେ ସମ୍ପୃକ୍ତ ଅଧିକାରୀଙ୍କଠାରୁ ଜିଲ୍ଲାପାଳ ତଥ୍ୟ ନେଇଥିଲେ।
ହିଡ଼ସିଂହ ଜଳସେଚନ ପ୍ରକଳ୍ପର ସଫଳ ରୂପାୟନ ଦ୍ୱାରା ଅଞ୍ଚଳର ଜଳସେଚନ ବ୍ୟବସ୍ଥା ସୁଦୃଢ଼ ହେବା ସହ କୃଷି କ୍ଷେତ୍ରକୁ ଅଧିକ ସହାୟତା ମିଳିବାର ଆଶା ରହିଛି। ପ୍ରକଳ୍ପର ପରବର୍ତ୍ତୀ କାର୍ଯ୍ୟ ଓ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏହି କ୍ଷେତ୍ର ପରିଦର୍ଶନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
