Spread the love

*ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ*
– ବୁଲା ଗୋରୁଙ୍କ ପାଇଁ ରାଜପଥ କଡ଼ରେ ‘କ୍ୟାଟେଲ ବାରିକେଡ୍’ ଲଗାଇବା ଉପରେ ଗୁରୁତ୍ୱ
– ରାସ୍ତା ଉପରେ ଥିବା ଭାରୀଯାନ ଚଳାଚଳ ନିୟନ୍ତ୍ରଣ ନିମନ୍ତେ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ

 

ଅନୁଗୋଳ,୦୫.୧୧ : ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତରଙ୍କ ଅଧ୍ୟକ୍ଷତାରେ
ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଳ ଜୈନ ବୈଠକରେ ଯୋଗ ଦେଇଥିଲେ।ବୈଠକରେ ଅକ୍ଟୋବର ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ୱାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା। ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ଅକ୍ଟୋବର ମାସରେ ଜିଲ୍ଲାରେ ମୋଟ ୩୭ଟି ଦୁର୍ଘଟଣା ଘଟିଥିବାବେଳେ ୧୨ଜଣଙ୍କର ମୃତ୍ୟୁ ଘଟିଛି ଓ ୨୫ଜଣ ଆହତ ହୋଇଛନ୍ତି । ଗତ ମାସରେ ପରିବହନ ବିଭାଗ ଦ୍ୱାରା ହୋଇଥିବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଲଣ ଯୋଗୁଁ ୧୨୮୫ଜଣ, ଦ୍ରୁତ ଗାଡି ଚାଳନ କରିବା ଯୋଗୁଁ ୮୭୬ଜଣ , ମଦ୍ୟପାନ କରି ଗାଡି ଚାଳନା ନିମନ୍ତେ ୨୮ ଜଣ, ଅତ୍ୟଧିକ ମାଲ ପରିବହନ ନିମନ୍ତେ ୩୪ଜଣଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିବାବେଳେ ୪୫୦ଜଣଙ୍କର ଲାଇସେନ୍ସ ରଦ୍ଦ କରାଯାଇଥିଲା । ବୈଠକର ନିଷ୍ପତ୍ତି ଅନୁସାରେ, ବୁଲା ଗୋରୁଙ୍କ ପାଇଁ ରାଜପଥ କଡ଼ରେ ‘କ୍ୟାଟେଲ ବାରିକେଡ୍’ ଲଗାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ରାସ୍ତା ଉପରେ ଥିବା ଭାରୀଯାନଗୁଡିକୁ ନିଜସ୍ବ ସ୍ବେଚ୍ଛାସେବୀ (Volunteer) ନିୟୋଜିତ କରି ଗାଡ଼ି ମୋବିଲାଇଜ୍ କରିବାକୁ କମ୍ପାନୀଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଢାବା କିମ୍ବା ପେଟ୍ରୋଲ୍ ପମ୍ପ ଆଗରେ ବେଆଇନ୍ ଗାଡ଼ି ପାର୍କିଂ କଲେ ସମ୍ପୃକ୍ତ ଡ୍ରାଇଭରମାନଙ୍କ ଲାଇସେନ୍ସ ଜବତ ଓ ଜୋରିମାନା ଆଦାୟ କରିବା ସହ ନିୟମ ଉଲ୍ଲଂଘନ କରୁଥିବା ପେଟ୍ରୋଲ୍ ପମ୍ପ, ହୋଟେଲ୍ ଓ ଢାବାଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ଆଶିଷ ରଞ୍ଜନ ସାହୁ, ତାଳଚେର ଉପଜିଲ୍ଲାପାଳ ଶ୍ରୀ ପ୍ରଜ୍ଞାନନ୍ଦନ ଗିରି , ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁକୁମାର ତ୍ରିପାଠୀ, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାସ, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀ ସଂଗ୍ରାମ ରଞ୍ଜନ ଦାସଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

You missed