Spread the love

# ଦୀପାବଳୀ ପୂର୍ବରୁ ଯାଜପୁରରେ ହୃଦୟବିଦାରକ ଅଗ୍ନିକାଣ୍ଡ; ଜୀବନ୍ତ ଦଗ୍ଧ ହେଲେ ମା’, ଝିଅ ଓ ଦୁଇ ନାତିନାତୁଣୀ

**ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ, ଜଣେ ଗୁରୁତର ଆହତ**

**ଯାଜପୁର, ୦୮/୧୧ (ଜାଗ୍ରତ ଭାରତ ନ୍ୟୁଜ୍):** ଚାରିଆଡ଼େ ଦୀପାବଳୀର ଆଲୋକ ଓ ଉତ୍ସବର ଆନନ୍ଦ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଯାଜପୁର ଜିଲ୍ଲାର ନଳୀପୁର ଗାଁରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୀପାବଳୀ ପୂର୍ବରୁ ଘଟିଥିବା ଏହି ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗ୍ରାମର ଶେଖ ମହଲାରେ ଶନିବାର ରାତି ପ୍ରାୟ ୮ଟା ସମୟରେ ସେକ୍ ନିଜାମୁଦ୍ଦିନଙ୍କ ଆଜବେଷ୍ଟସ ଘରେ ହଠାତ୍ ନିଆଁ ଲାଗିଯାଇଥିଲା। ଚାହୁଁଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରି ଦୁଇ ବଖରା ଘରକୁ ଗ୍ରାସ କରିଥିଲା।

ସେହି ସମୟରେ ଘର ଭିତରେ ଶୋଇଥିଲେ ନିଜାମୁଦ୍ଦିନଙ୍କ ବଡ଼ବୋହୂ ତବସୁମ ବିବି (୪୦), ତାଙ୍କ ଝିଅ ଗୁଲଫସା ବିବି (୨୬), ଗୁଲଫସାଙ୍କ ୧୧ ବର୍ଷୀୟା ଝିଅ ରୋସନି ଓ ମାତ୍ର ୮ ମାସର ଶିଶୁପୁତ୍ର ଅରହମ୍। ନିଆଁ ହଠାତ୍ ଘରର ପ୍ରବେଶପଥକୁ ବ୍ୟାପିଯିବାରୁ ସେମାନେ ବାହାରକୁ ବାହାରିବାର ସୁଯୋଗ ପାଇନଥିଲେ। ଫଳରେ ଚାରିଜଣ ଯାକ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିଲେ।

ଅନ୍ୟପଟେ ଘରର ଦ୍ୱାର ନିକଟରେ ଥିବା ତବସୁମଙ୍କ ୧୮ ବର୍ଷୀୟ ପୁଅ ଇଜହାର ନିଆଁ ଦେଖି ଜୀବନ ବିକଳରେ ବାହାରକୁ ଦୌଡ଼ି ଆସିଥିଲେ। ତେବେ ଏହି ସମୟରେ ସେ ନିଆଁରେ ପୋଡ଼ି ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଡାକ୍ତରଖାନାକୁ ପଠାଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ କେନ୍ଦ୍ରରୁ ଦୁଇଟି ଦମକଳ ଗାଡ଼ିରେ ଫାୟାର ଅଫିସର ସନ୍ତୋଷ କୁମାର ସ୍ୱାଇଁ ଓ ଏଏସ୍‌ଓ ଶ୍ରୀରାମଚନ୍ଦ୍ର ହାଁସଦାଙ୍କ ନେତୃତ୍ୱରେ ୧୦ ଜଣିଆ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଗାଁ ଭିତରକୁ ଯିବା ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ଥିବା ସହ ଉପରେ ୧୧ କେଭି ବିଦ୍ୟୁତ୍ ଲାଇନ୍ ଓ ଝୁଲନ୍ତା ବିଦ୍ୟୁତ୍ ତାର ରହିଥିବାରୁ ଦମକଳ ଗାଡ଼ି ଅଗ୍ନିକାଣ୍ଡସ୍ଥଳକୁ ଯାଇପାରିନଥିଲା।

ଏଭଳି ପରିସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ହାର ନମାନି ପ୍ରାୟ ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ପୋର୍ଟେବୁଲ ପମ୍ପକୁ କାନ୍ଧରେ ବୋହି ନେଇଥିଲେ। ପରେ ୧୦ଟି ପାଇପ୍ ସଂଯୋଗ କରି ନିକଟସ୍ଥ ପୋଖରୀରୁ ପାଣି ଆଣି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।

ଅନ୍ୟପକ୍ଷରେ ବାଲିଚନ୍ଦ୍ରପୁର ଥାନା ଆଇଆଇସି ଦିଲ୍ଲୀପ କୁମାର ମହାନ୍ତି ପୋଲିସ ଟିମ୍ ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସହଯୋଗ କରିଥିଲେ। ସ୍ଥାନୀୟ ଯୁବକମାନେ ମଧ୍ୟ ପ୍ରଥମେ ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ।

ପ୍ରାଥମିକ ଭାବେ ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ ପ୍ରକାଶ ପାଉଥିବା ବେଳେ ଏହାର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଓ ଆବଶ୍ୟକ ଯାଞ୍ଚ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ଦୀପାବଳୀ ପରି ଆଲୋକର ପର୍ବ ପୂର୍ବରୁ ଗୋଟିଏ ପରିବାରର ଚାରିଜଣଙ୍କ ଏପରି ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଯେଉଁ ଘରେ ଉତ୍ସବର ଖୁସି ଓ ପାରିବାରିକ ଆନନ୍ଦ ରହିବା କଥା, ସେଠାରେ ଏବେ ଶୋକ ଓ ନିରବତା ଛାଇଯାଇଛି।

Leave a Reply

Your email address will not be published. Required fields are marked *