ରାଜ୍ୟରେ ଆଉ ୫ ଲକ୍ଷ ହିତାଧିକାରୀ ପାଇବେ ଭତ୍ତା, ନଭେମ୍ବର ୧୦ରେ ବାଲେଶ୍ୱରରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଅକ୍ଟୋବରରୁ ମିଳିବ ନୂଆ ଭତ୍ତା, ବକେୟା ରାଶି ଏକକାଳୀନ ପ୍ରଦାନ ପାଇଁ ଉଦ୍ୟମ
ଭୁବନେଶ୍ୱର, ୯ ନଭେମ୍ବର: ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତାକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଭତ୍ତା ଯୋଜନାରେ ଆଉ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ସାମିଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ନଭେମ୍ବର ୧୦ ତାରିଖରେ ବାଲେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସୂଚନା ଅନୁସାରେ, ନୂଆ ହିତାଧିକାରୀମାନେ ଗତ ଅକ୍ଟୋବର ମାସରୁ ଭତ୍ତା ପାଇବେ। ଏହାଦ୍ୱାରା ଦୀର୍ଘଦିନ ଧରି ଭତ୍ତା ତାଲିକାରେ ସ୍ଥାନ ପାଇବାକୁ ଅପେକ୍ଷା କରିଥିବା ଯୋଗ୍ୟ ବ୍ୟକ୍ତିମାନେ ଉପକୃତ ହେବେ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ନୂଆ ଲକ୍ଷ୍ୟଧାର୍ଯ୍ୟ ନଥିବାରୁ ଅନେକ ଯୋଗ୍ୟ ଆବେଦନକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଅପେକ୍ଷା କରିଥିଲେ। ଏବେ ସରକାର ଅତିରିକ୍ତ ୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସୁବିଧା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପକ୍ଷରେ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ଭତ୍ତା ବଣ୍ଟନକୁ ନେଇ ମଧ୍ୟ ସମସ୍ୟା ଦେଖାଦେଇଛି। ନୂତନ ‘NSAP ପର୍ସ’ ପୋର୍ଟାଲ ସମ୍ପର୍କିତ ବୈଷୟିକ ଓ ପ୍ରଶାସନିକ ସମସ୍ୟା ଯୋଗୁଁ କେତେକ ହିତାଧିକାରୀ ଭତ୍ତା ପାଇପାରିନାହାନ୍ତି। ଏହାର ସମାଧାନ ପାଇଁ କେନ୍ଦ୍ରୀୟ ଅଧିକାରୀଙ୍କ ସହ ରାଜ୍ୟ ସରକାର ଯୋଗାଯୋଗରେ ରହିଛନ୍ତି।
ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଯେଉଁ ହିତାଧିକାରୀ ଯେତେ ମାସର ଭତ୍ତା ପାଇନାହାନ୍ତି, ସମସ୍ୟାର ସମାଧାନ ପରେ ସେମାନଙ୍କୁ ବକେୟା ରାଶି ଏକକାଳୀନ ପ୍ରଦାନ କରିବାକୁ ଉଦ୍ୟମ ଚାଲିଛି।
ଉଲ୍ଲେଖଯୋଗ୍ୟ, NSAP ଅଧୀନରେ ଭତ୍ତା ପ୍ରଦାନକୁ ନେଇ ଗତ ପ୍ରାୟ ୬ ମାସ ଧରି ବିଭିନ୍ନ ସମସ୍ୟା ଲାଗି ରହିଛି। ଭତ୍ତା ଟଙ୍କା ପାଇବା ପାଇଁ ଅନେକ ବୟସ୍କ ଓ ଅନ୍ୟ ହିତାଧିକାରୀଙ୍କୁ ବାରମ୍ବାର ବ୍ୟାଙ୍କ ଦୌଡ଼ିବାକୁ ପଡ଼ୁଛି। ବିଶେଷକରି ଭତ୍ତା ଉପରେ ନିର୍ଭରଶୀଳ ବୟସ୍କ ବ୍ୟକ୍ତିମାନେ ଏଥିଯୋଗୁଁ ଅଧିକ ଅସୁବିଧାରେ ପଡ଼ିଛନ୍ତି।
ଏଭଳି ସ୍ଥିତିରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ଭତ୍ତା ଯୋଜନାରେ ସାମିଲ କରିବା ସହ ବକେୟା ଭତ୍ତା ପ୍ରଦାନ ସମସ୍ୟାର ସମାଧାନ ରାଜ୍ୟ ସରକାରଙ୍କ ପାଇଁ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି।
