Spread the love

*ମା’ ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡର ଦ୍ୱିତୀୟ ବୈଠକ*

-ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ

-ଆଇଆଇଟି ବିଶେଷଜ୍ଞଙ୍କ ପରାମର୍ଶରେ ହେବ ନିର୍ମାଣ କାର୍ଯ୍ୟ

*ତାଳଚେର, ୧୧/୧୧:* ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ହିଙ୍ଗୁଳା ମନ୍ଦିରର ସାମଗ୍ରିକ ବିକାଶ ତଥା ଏହାର ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ଆଜି ମା’ ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଏବଂ ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ନିଜ ନିଜର ମାର୍ଗଦର୍ଶନ ଓ ମତାମତ ପ୍ରଦାନ କରିଥିଲେ। ଏଥିସହ ଏହି ବୈଠକରେ ତାଳଚେର ଉପଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ପ୍ରଜ୍ଞାନନ୍ଦନ ଗିରି, ଏସ୍‌ଡିପିଓ ଶ୍ରୀ ଭରତ ଚନ୍ଦ୍ର ସାହୁ, ତହସିଲଦାର ଶ୍ରୀ ଆଲଫା ଜେନା, ଏମ୍‌ସିଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ଶ୍ରୀ ସୁନୀଲ ବଂଶଲ ଯୋଶୀଙ୍କ ସମେତ ୧୭ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ। ଉପଯୁକ୍ତ ଯୋଜନା ଓ ସମନ୍ୱୟ ରକ୍ଷା କରି ମନ୍ଦିର ନିର୍ମାଣ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବା ପାଇଁ ବୈଠକରେ ପ୍ରମୁଖ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ମନ୍ଦିରର ପାରମ୍ପରିକ, ଧାର୍ମିକ ତଥା ସାଂସ୍କୃତିକ ଗାରିମାକୁ ଅକ୍ଷୁଣ୍ଣ ରଖି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଯଥା ‘ନାଟ୍ୟ ମଣ୍ଡପ’ ଏବଂ ‘ଯଜ୍ଞ ମଣ୍ଡପ’ର ସ୍ଥାପତ୍ୟ ଡିଜାଇନ୍ ପାଇଁ ରାଜ୍ୟର ବରିଷ୍ଠ ଆର୍କିଟେକ୍ଟ ଏବଂ ପ୍ରତିଷ୍ଠିତ ଆଇଆଇଟି ର ବିଶେଷଜ୍ଞମାନଙ୍କ ବୈଷୟିକ ପରାମର୍ଶ ନେବା ପାଇଁ ଆଲୋଚନା ହୋଇଥିଲା। ଏଥିସହ ମନ୍ଦିରର ଉନ୍ନୟନ ଓ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ମହାନଦୀ କୋଲଫିଲ୍ଡସ ଲିମିଟେଡର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପାଣ୍ଠିରୁ ଆର୍ଥିକ ସହାୟତା ଗ୍ରହଣ କରିବା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଛି। ଟ୍ରଷ୍ଟ ବୋର୍ଡର ଦୈନନ୍ଦିନ କାର୍ଯ୍ୟକୁ ଶୃଙ୍ଖଳିତ କରିବା, ପାରଦର୍ଶିତା ଆଣିବା ଏବଂ ବିଭିନ୍ନ ନିଷ୍ପତ୍ତିର ତ୍ୱରିତ ରୂପାୟନ ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ଉପଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟିଙ୍କ ଅଧୀନରେ ପ୍ରଶାସନିକ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ବୋର୍ଡ ସହମତି ପ୍ରକାଶ କରିଛି। ମା’ ହିଙ୍ଗୁଳାଙ୍କ ପବିତ୍ର ପୀଠର ଧାର୍ମିକ ଐତିହ୍ୟର ସୁରକ୍ଷା ସହିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ସୁଯୋଗ ବୃଦ୍ଧି ଏବଂ ଏକ ଯୋଜନାବଦ୍ଧ ସାମଗ୍ରିକ ବିକାଶ ଦିଗରେ ଜିଲ୍ଲା ପ୍ରଶାସନ, ଟ୍ରଷ୍ଟ ବୋର୍ଡ ଏବଂ ଜନ ପ୍ରତିନିଧି ମିଳିତ ଭାବେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *