ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ପ୍ରବନ୍ଧ ଲିଖନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ
**ତାଳଚେର, ୧୧ ନଭେମ୍ବର ୨୦୨୬:** ଇଲେକ୍ଟୋରାଲ ଲିଟରେସି କ୍ଲବ୍ (ELC) ଆନୁକୂଲ୍ୟରେ ୬୦-ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ପ୍ରବନ୍ଧ ଲିଖନ ଓ କୁଇଜ୍ ପ୍ରତିଯୋଗିତା ଆଜି ୧୧ ନଭେମ୍ବର ୨୦୨୬ ତାରିଖ ସକାଳ ୧୦.୩୦ ଘଟିକାରୁ ତାଳଚେରସ୍ଥିତ ଶିଳ୍ପାଞ୍ଚଳ ମହିଳା ଡିଗ୍ରୀ କଲେଜଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ତାଳଚେର ଓ କଣିହାଁ ଅଞ୍ଚଳର ବିଭିନ୍ନ ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏଥିରେ କଣିହାଁ ଡିଗ୍ରୀ କଲେଜ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ତାଳଚେର, ଗଡ଼ତଳ ପ୍ଲସ୍ ଟୁ ସାଇନ୍ସ କଲେଜ, ନୀଳକଣ୍ଠେଶ୍ୱର ଡିଗ୍ରୀ କଲେଜ, ନୀଳକଣ୍ଠେଶ୍ୱର ହାୟର ସେକେଣ୍ଡାରୀ କଲେଜ, ଶିଳ୍ପାଞ୍ଚଳ ମହିଳା ଡିଗ୍ରୀ କଲେଜ ଏବଂ ଶିଳ୍ପାଞ୍ଚଳ ହାୟର ସେକେଣ୍ଡାରୀ ସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମଟି ତାଳଚେରର ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO) ଶ୍ରୀ ପ୍ରଜ୍ଞାନନ୍ଦନ ଗିରି ଏବଂ ସହକାରୀ ଜିଲ୍ଲାପାଳ ତଥା ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଶ୍ରୀମତୀ ନିବେଦିତା ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ନିର୍ବାଚନ ଶାଖାର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।
ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନ ସମ୍ବନ୍ଧୀୟ ସଚେତନତା ବୃଦ୍ଧି, ଶୁଦ୍ଧ ଓ ସମାବେଶୀ ଭୋଟର ତାଲିକାର ଗୁରୁତ୍ୱ, ଯୋଗ୍ୟ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସଚେତନ ଓ ଦାୟିତ୍ୱପୂର୍ଣ୍ଣ ଅଂଶଗ୍ରହଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପ୍ରତିଯୋଗିତା ଶେଷରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ଜଳଖିଆ ବଣ୍ଟନ କରାଯାଇଥିଲା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ପ୍ରଜ୍ଞାନନ୍ଦନ ଗିରି ପୁରସ୍କାର ପ୍ରଦାନ କରିଥିଲେ।
ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହଯୋଗ ଓ ନିର୍ବାଚନ ଶାଖାର ସମସ୍ତ କର୍ମଚାରୀଙ୍କ ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଥିଲା। ଏହା ଯୁବ ନାଗରିକମାନଙ୍କ ମଧ୍ୟରେ ଭୋଟର ସଚେତନତା ବୃଦ୍ଧି ଦିଗରେ ଏକ ସଫଳ ପଦକ୍ଷେପ ଭାବେ ପରିଗଣିତ ହୋଇଛି।

