Spread the love

ସାଇ ବାବାଙ୍କ ଜୟଧ୍ୱନିରେ ପ୍ରକମ୍ପିତ ଢେଙ୍କାନାଳ

ସାଇ ସତସଙ୍ଗ ସେବା ଟ୍ରଷ୍ଟର ତ୍ରିଦିବସୀୟ ବାର୍ଷିକ ଉତ୍ସବ ଉଦ୍‌ଘାଟିତ

ଢେଙ୍କାନାଳ: ସାଇ ବାବାଙ୍କ ଭକ୍ତି, ଶ୍ରଦ୍ଧା ଓ ସେବାର ଭାବନାକୁ ନେଇ ସାଇ ସତସଙ୍ଗ ସେବା ଟ୍ରଷ୍ଟ, ଢେଙ୍କାନାଳ ଆନୁକୂଲ୍ୟରେ ଆୟୋଜିତ ତ୍ରିଦିବସୀୟ ବାର୍ଷିକ ଉତ୍ସବର ଶୁଭାରମ୍ଭ ଶୁକ୍ରବାର ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଆୟୋଜିତ ବିଶାଳ ସାଇ ପାଲିଙ୍କି ଶୋଭାଯାତ୍ରାରେ ସମଗ୍ର ଢେଙ୍କାନାଳ ସହର ଭକ୍ତିମୟ ହୋଇଉଠିଥିଲା।

ସୌଦାମିନୀ ସ୍କୁଲ ପରିସରରୁ ଶିରିଡ଼ିରୁ ଆସିଥିବା ପୂଜକଙ୍କ ଦ୍ୱାରା ସାଇ ବାବାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଆରତୀ ପରେ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା। ଏହି ଭବ୍ୟ ଶୋଭାଯାତ୍ରା ଶ୍ରୀରାମ ମଣ୍ଡପ ଅଭିମୁଖେ ବାହାରି ସହରର ମୁଖ୍ୟ ରାସ୍ତା ପରିକ୍ରମା କରିଥିଲା।

ଶୋଭାଯାତ୍ରାରେ ପୁରୀର ପ୍ରସିଦ୍ଧ ଘଣ୍ଟୁଆ ଦଳଙ୍କ ଘଣ୍ଟନାଦ ଓ ଶଙ୍ଖଧ୍ୱନି ପରିବେଶକୁ ଆଧ୍ୟାତ୍ମିକ ମୟ କରିଥିବା ବେଳେ କଟକର ପ୍ରସିଦ୍ଧ ସିଂଘ ବାଜା ଦଳ ଏହାର ଆକର୍ଷଣକୁ ଆହୁରି ବଢ଼ାଇଥିଲେ। ଏଥିସହ ଲଉଡ଼ି ଖେଳାଳିଙ୍କ ଚିତ୍ତାକର୍ଷକ ଲଉଡ଼ି ବାଡ଼ି ଖେଳ ଦର୍ଶକଙ୍କ ମନ ମୋହିଥିଲା। ସୁସଜ୍ଜିତ ବିମାନରେ ସାଇ ବାବାଙ୍କ ମୂର୍ତ୍ତିଙ୍କୁ ବିରାଜମାନ କରାଯାଇ ନଗର ପରିକ୍ରମା କରାଯାଇଥିଲା। ଶିରିଡ଼ି ସାଇ ବାବାଙ୍କ ବିମାନ ଓ ପାଦୁକା ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା।

ଏହି ଶୋଭାଯାତ୍ରାରେ ଶହ ଶହ ସାଇ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇ ସାଇ ବାବାଙ୍କ ଜୟ ଜୟକାର କରିଥିଲେ। ଭକ୍ତିମୟ ପରିବେଶ ଓ ଜୟଧ୍ୱନିରେ ସମଗ୍ର ଢେଙ୍କାନାଳ ସହର ପ୍ରକମ୍ପିତ ହୋଇଉଠିଥିଲା।

ଶୋଭାଯାତ୍ରା ଶ୍ରୀରାମ ମଣ୍ଡପରେ ପହଞ୍ଚିବା ପରେ ସେଠାରେ ଏକ ଭବ୍ୟ ଭଜନ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ଭକ୍ତମାନେ ସାଇ ଭଜନରେ ମଜ୍ଜି ଯାଇଥିଲେ। ଉପସ୍ଥିତ ସମସ୍ତ ଭକ୍ତଙ୍କ ପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ଏହି ତ୍ରିଦିବସୀୟ ଉତ୍ସବର ଦ୍ୱିତୀୟ ଦିନ ଶନିବାର ସାଇ ସତ୍ୟନାରାୟଣ ବ୍ରତ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ତୃତୀୟ ଦିନ ରବିବାର ଏକଦିବସୀୟ ସାଇ ସତଚରିତ ପାରାୟଣ ଆୟୋଜନ କରାଯିବ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଭକ୍ତ ଯୋଗଦେବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *