### ହାତୀ ଉପଦ୍ରବ ରୋକିବାକୁ ବନ ବିଭାଗର ନୂଆ ପଦକ୍ଷେପ
### ୫ଟି ଗ୍ରାମରେ ବଣ୍ଟନ ହେଲା ବାୟୁରୋଧୀ ଶସ୍ୟ ସଂରକ୍ଷଣ ଡବା
ଅନୁଗୋଳ: ମଣିଷ ଓ ହାତୀଙ୍କ ମଧ୍ୟରେ ସଂଘର୍ଷ ହ୍ରାସ କରିବା ସହ ଉଭୟଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସୃଷ୍ଟି କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ତଳା ଓ ଜରପଡ଼ା ବନାଞ୍ଚଳ ଅଧୀନରେ ଥିବା ପାଞ୍ଚଟି ଗ୍ରାମର ଲୋକଙ୍କୁ ବାୟୁରୋଧୀ ଶସ୍ୟ ସଂରକ୍ଷଣ ଡବା ବଣ୍ଟନ କରାଯାଇଛି।
ସାଧାରଣତଃ ଘରେ ସଂରକ୍ଷିତ ଧାନ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟର ଗନ୍ଧ ହାତୀମାନଙ୍କୁ ଆକର୍ଷିତ କରିଥାଏ। ଫଳରେ ଖାଦ୍ୟ ଅନ୍ୱେଷଣରେ ହାତୀ ଗାଁ ମଧ୍ୟକୁ ପ୍ରବେଶ କରିବା ସହ ଧନଜୀବନ ହାନି ଓ ଫସଲ ନଷ୍ଟ ଭଳି ଘଟଣା ଘଟିଥାଏ। ଏହି ସମସ୍ୟାର ନିରାକରଣ ଦିଗରେ ବାୟୁରୋଧୀ ଡବାରେ ଖାଦ୍ୟଶସ୍ୟ ସୁରକ୍ଷିତ ଭାବେ ରଖିବା ଏକ ପ୍ରଭାବଶାଳୀ ପଦକ୍ଷେପ ହୋଇପାରିବ ବୋଲି ବନ ବିଭାଗ ଆଶା ରଖିଛି।
ଏହି ଜନକଲ୍ୟାଣମୂଳକ ପଦକ୍ଷେପ ଦ୍ୱାରା ହାତୀଙ୍କ ଗ୍ରାମମୁହାଁ ହେବାର ସମ୍ଭାବନା କମିବା ସହ ଗ୍ରାମବାସୀଙ୍କ ଜୀବନ, ସମ୍ପତ୍ତି ଓ ଜୀବିକାର ସୁରକ୍ଷା ହୋଇପାରିବ। ଏଥିସହ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ହ୍ରାସ କରି ପ୍ରକୃତି ସହ ସନ୍ତୁଳିତ ସହାବସ୍ଥାନକୁ ପ୍ରୋତ୍ସାହିତ କରିବାରେ ଏହି ପଦକ୍ଷେପ ସହାୟକ ହେବ।

ମଣିଷ ଓ ହାତୀଙ୍କ ସୁରକ୍ଷା ପାଇଁ ଅନୁଗୋଳ ବନଖଣ୍ଡର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି।
