କଟକ ଜିଲ୍ଲାର ୬୬ଟି ସ୍କୁଲରେ ଏଯାଏଁ ଗଠନ ହୋଇନି SMC କମିଟି, ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ
ଭୁବନେଶ୍ୱର: ବିଦ୍ୟାଳୟର ସୁପରିଚାଳନା ଓ ବିଭିନ୍ନ ଯୋଜନାର ତଦାରଖ ପାଇଁ ଗଠନ ହେଉଥିବା ବିଦ୍ୟାଳୟ ପରିଚାଳନା କମିଟି (SMC) ଗଠନକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। କଟକ ଜିଲ୍ଲାର ୬୬ଟି ବିଦ୍ୟାଳୟରେ ଏପର୍ଯ୍ୟନ୍ତ ଏହି କମିଟି ଗଠନ ହୋଇନାହିଁ। ଜିଲ୍ଲାର ମୋଟ ୨୦୭୬ଟି ବିଦ୍ୟାଳୟ ମଧ୍ୟରୁ ଏହି ୬୬ଟି ସ୍କୁଲରେ SMC ନଥିବା ବିଧାନସଭାରେ ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ SMC ଗଠନ, ସରକାରୀ ଅନୁଦାନର ବିନିଯୋଗ ଏବଂ ମଧ୍ୟାହ୍ନ ଭୋଜନ ଅର୍ଥରେ ଅନିୟମିତତା ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। କେଉଁ ବ୍ଲକର କେତେ ବିଦ୍ୟାଳୟରେ କମିଟି ଗଠନ ହୋଇନାହିଁ ଏବଂ ଏହାର କାରଣ କ’ଣ, ସେ ସମ୍ପର୍କରେ ମଧ୍ୟ ସେ ତଥ୍ୟ ମାଗିଥିଲେ।
ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, SMC ଗଠନ ହୋଇନଥିବା ବିଦ୍ୟାଳୟଗୁଡ଼ିକର ବ୍ଲକୱାରୀ ତାଲିକା ପରିଶିଷ୍ଟ-କ ମାଧ୍ୟମରେ ଦିଆଯାଇଛି।
ଅନ୍ୟପକ୍ଷରେ, ବିଦ୍ୟାଳୟରେ ସରକାରୀ ଅନୁଦାନ ଖର୍ଚ୍ଚ ନହୋଇ ଫେରିଯିବା ସମ୍ପର୍କିତ ପ୍ରଶ୍ନରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକ SNA-SPARSH ଏବଂ ରାଜ୍ୟ ଯୋଜନାଗୁଡ଼ିକ JITFS ପଦ୍ଧତିରେ ପରିଚାଳିତ ହେଉଛି।
ସେହିପରି ମଧ୍ୟାହ୍ନ ଭୋଜନ ଯୋଜନାର ଅର୍ଥରେ ଅନିୟମିତତା ସମ୍ପର୍କିତ କୌଣସି ଅଭିଯୋଗ ମିଳିଲେ ତାହାର ଯାଞ୍ଚ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଉତ୍ତରରେ ଜଣାଇଛନ୍ତି।
