Spread the love

JAGRAT BHARAT NEWS | ଭୁବନେଶ୍ୱର | ୨୪ ନଭେମ୍ବର ୨୦୨୬

### ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସବୁଠି ଡଙ୍ଗା ଭସା ପରମ୍ପରା, ଜଳାଶୟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୋରୁ ଭୋରୁ ଗୁଞ୍ଜିଲା ‘ଆ-କା-ମା-ବୈ’ ଗୀତ, ପଞ୍ଚୁକ ବ୍ରତର ଶେଷ ଦିନରେ ଆଧ୍ୟାତ୍ମିକ ପରିବେଶ

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସର ଶେଷ ଦିନ ତଥା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ସାରା ଓଡ଼ିଶାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ପଞ୍ଚୁକ ବ୍ରତର ଅନ୍ତିମ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଭୋରରୁ ବିଭିନ୍ନ ନଦୀ, ପୋଖରୀ, ସମୁଦ୍ର ଓ ଜଳାଶୟରେ ଡଙ୍ଗା ଭସାଇ ପାରମ୍ପରିକ ରୀତିନୀତି ପାଳନ କରୁଛନ୍ତି।

‘ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସିକ ଧରମ ମୋର’ ଗୀତ ଗାଇ ଶ୍ରଦ୍ଧାଳୁମାନେ କଦଳୀ ପଟୁକା, କାଗଜ ଓ ଅନ୍ୟାନ୍ୟ ସାମଗ୍ରୀରେ ପ୍ରସ୍ତୁତ ଡଙ୍ଗାକୁ ଜଳରେ ଭସାଉଛନ୍ତି। ଏହି ପାରମ୍ପରିକ ଡଙ୍ଗା ଭସା ରୀତି ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟ ଐତିହ୍ୟ ଓ ପ୍ରାଚୀନ ସାଧବମାନଙ୍କ ସ୍ମୃତିକୁ ମନେ ପକାଇଥାଏ।

ଆଜି ପୁରୀ ଶ୍ରୀମନ୍ଦିରରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ କରାଯାଉଛି। ଶ୍ରୀଜିଉମାନେ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ଦିବ୍ୟ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି।

ସେହିପରି ରାଜ୍ୟର ବିଭିନ୍ନ ସମୁଦ୍ରତଟ ଓ ଜଳାଶୟରେ ଡଙ୍ଗା ଭସାଇବା ସହ ପବିତ୍ର ସ୍ନାନ କରୁଛନ୍ତି ଶ୍ରଦ୍ଧାଳୁ ଓ ହବିଷ୍ୟାଳି। ଭୁବନେଶ୍ୱରର ପ୍ରସିଦ୍ଧ ବିନ୍ଦୁସାଗରରେ ମଧ୍ୟ ଭୋରରୁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଡଙ୍ଗା ଭସା, ପୂଜାର୍ଚ୍ଚନା ଓ ପବିତ୍ର ସ୍ନାନକୁ ନେଇ ସହରର ବିଭିନ୍ନ ଅଞ୍ଚଳରେ ଆଧ୍ୟାତ୍ମିକ ମାହୋଲ ଦେଖିବାକୁ ମିଳିଛି।

କାର୍ତ୍ତିକ ପୂର୍ଣ୍ଣିମା ଓ ପଞ୍ଚୁକ ବ୍ରତର ଶେଷ ଦିନ ହୋଇଥିବାରୁ ଧାର୍ମିକ ଆସ୍ଥା, ପରମ୍ପରା ଓ ସାଂସ୍କୃତିକ ଉତ୍ସବର ଏକ ଅନନ୍ୟ ମିଳନ ଦେଖିବାକୁ ମିଳୁଛି।

 

Leave a Reply

Your email address will not be published. Required fields are marked *