ଜିଲ୍ଲାରେ ‘ଲିଙ୍ଗଭିତ୍ତିକ ହିଂସା ବିରୋଧୀ ୧୬ ଦିନିଆ ସଚେତନତା ଅଭିଯାନ’ର ଶୁଭାରମ୍ଭ
-କଲେଜ ଛାତ୍ରୀ, କିଶୋରୀ ବାଳିକା ଓ ମିଶନ ଶକ୍ତି ମହିଳାଙ୍କ ବିଶାଳ ସଚେତନତା ରାଲି
ଅନୁଗୋଳ, ୨୫.୧୧ : ଜିଲ୍ଲା ପ୍ରଶାସନ ଏବଂ ପିପୁଲ୍ସ ଫୋରମ୍ (ସଖୀ ୱାନ୍ ଷ୍ଟପ୍ ସେଣ୍ଟର) ର ମିଳିତ ସହଯୋଗରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନ ଆଜି ଜିଲ୍ଲାରେ ଶୁଭାରମ୍ଭ ହୋଇଛି। ‘ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟ’ ବାର୍ତ୍ତା ନେଇ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା ଏହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ଏହି ରାଲିରେ କିଶୋର-କିଶୋରୀ, କଲେଜ ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, କାର୍ଯ୍ୟକାରୀ କମିଟି ସଦସ୍ୟା, ପ୍ରେରଣା ଦିଦି, ଅଙ୍ଗନୱାଡ଼ି କର୍ମୀ ଏବଂ ‘ଶକ୍ତି ସଦନ’ ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁଜାତା ମହାପାତ୍ର, ପ୍ରୋଗ୍ରାମ ଅଫିସର ତଥା ସୁରକ୍ଷା ଅଧିକାରୀ ଶ୍ରୀମତୀ ରୁନୁ ପ୍ରଧାନ, ୟୁନିସେଫ୍ ପ୍ରତିନିଧି ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷରେ ମହିଳାଙ୍କ ଉପରେ ହେଉଥିବା ହିଂସା ବିରୋଧରେ ସମସ୍ତ ଅଂଶଗ୍ରହଣକାରୀ ଏକ ସାମୁହିକ ଶପଥ ହୋଇଥିଲା। ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ମିଳିତ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ।
