ପାରିପରା ଗ୍ରାମରେ ଉଠାଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ

ଜେ ବି ଏନ, ୧୧/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ତଥା ବଅଁରପାଳ ବ୍ଲକ ଅନ୍ତର୍ଗତ ଜରଡା ପଞ୍ଚାୟତ ଅଧିନ ପାରିପରା ଗ୍ରାମର ଲିଙ୍ଗରା ନଦୀ ପାର୍ଶ୍ବରେ ଅନୁଗୁଳ ଉଠାଜଳସେଚନ ନିଗମ ପକ୍ଷରୁ ନବ ନିର୍ମିତ ତଥା ସ୍ଥାପିତ ଉଠାଜଳସେଚନ ପ୍ରକଳ୍ପ ( ଏଲ ଆଇ ପ୍ଏଣ୍ଟ ) ଗୁରୁବାର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଉଠାଜଳସେଚନ ନିଗମ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରକଳ୍ପ ଉଦଘାଟନ କରିବା ସହ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ସୁଜାତା ପ୍ରଧାନ , ଉଠାଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ନରେନ୍ଦ୍ର କୁମାର ଜେନାମଣି , କନିଷ୍ଠ ଯନ୍ତ୍ରୀ ନିଉଟନ କୁମାର ଡୁଡୁମ , ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଟ ଇଞ୍ଜିନିୟର ହୃଷିକେଶ ଧଳ , ଠିକାଦାର ଶ୍ରୀକାନ୍ତ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ , ଚିରସ୍ରୋତା ଲିଙ୍ଗରା ନାଳରୁ ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ଜଳସେଚନ କରାଯିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଇଛି । ଏଥିରେ ୧୦ ଏଚ ପି କ୍ଷମତା ସମ୍ପନ୍ନ ବିଶିଷ୍ଟ ୨ଟି ମୋନୋବ୍ଲକ ପମ୍ପସେଟ ସ୍ଥାପନ କରାଯାଇଛି ଏବଂ ଏଠାରେ ବିଦ୍ୟୁତ ସଂଯୋଗ କରାଯାଇଛି । ତେବେ ପାରିପରା ଗ୍ରାମର ପ୍ରାୟ ଏକ ଶହ ଏକର ଚାଷଜମିରେ ଜଳସେଚନ ବ୍ୟବସ୍ଥା ହୋଇପାରିବ ବୋଲି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଏ ନେଇ ଚାଷୀମାନେ ବେଶ୍ ଖୁସିବ୍ୟକ୍ତ କରିବା ସହ ଉଭୟ ବିଧାୟକଙ୍କ ଉଦ୍ୟମ ଏବଂ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ତଥା ସହଯୋଗ ଯୋଗୁଁ କୃତଜ୍ଞତା ଜଣାଇଛନ୍ତି ।



