
ଜିଲ୍ଲା ସ୍ତରୀୟ ‘ ବେଟି ବଚାଓ ବେଟି ପଢାଓ ‘ଓ ବାଲ୍ୟ ବିବାହ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ
(ଜେ. ବି. ଏନ୍/ସୁଶାନ୍ତ କୁମାର ) ୧୨/୦୨ /୨୦୨୧
ଅନୁଗୁଳ : ଅନୁଗୁଳ ଜିଲ୍ଲା – ଶିଶୁ କନ୍ୟାମାନଙ୍କ ର ସୁରକ୍ଷା ଓ ସେମାନଙ୍କର ସଂଖ୍ୟା ବୃଦ୍ଧିକୁ ନେଇ ଜିଲ୍ଲା ସ୍ତରୀୟ ‘ ବେଟି ବଚାଓ ବେଟି ପଢାଓ ‘ ଓ ବାଲ୍ୟ ବିବାହ ଟାସ୍କ ଫୋର୍ସ ବୈଠକ ଗତକାଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଲିଙ୍ଗ ଅନୁପାତରେ ସମତା ଆଣିବା ନିମନ୍ତେ କନ୍ୟା ଶିଶୁ ମାନଙ୍କ ସଂଖ୍ୟା ବୃଦ୍ଧି ଓ ସେମାନଙ୍କର ପୋଷଣ ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଲେ । ନବମ ଓ ଦଶମ ଶ୍ରେଣୀରେ ବାଳିକାମାନଙ୍କ ର ଉପସ୍ଥିତି ଉପରେ ଗୁରୁତ୍ବ ଦେବାପାଇଁ ଜିଲ୍ଲାପାଳ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପରିଷ୍କାର ପରିଛନ୍ନତା ବଜାୟ ରଖିବା ପାଇଁ ଆସନ୍ତା ଏକ ବର୍ଷ ମଧ୍ୟରେ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ , ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଶୌଚାଳୟ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପସୋ ଆଇନର ସଠିକ୍ କାର୍ଯ୍ୟକାରୀତା ନିମନ୍ତେ ବ୍ୟାପକ ଜନ ସଚେତନତା କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ବାଲ୍ୟ ବିବାହ ମୋକଦ୍ଦମା ଗୁଡିକୁ ଅଦାଲତରେ ତୁରନ୍ତ ଫାଇଲ କରିବା ପାଇଁ ପରାମର୍ଶ ଦିଆଯାଇଛି । ବାଲ୍ୟ ବିବାହ ବନ୍ଦ ପାଇଁ ସି.ଡି.ପି.ଓ ମାନେ ପୋଲିସର ସହଯୋଗ ନେବାକୁ ବୈଠକରେ ସ୍ଥିର ହୋଇଛି । ପ୍ରତି ମାସରେ ହେଉଥିବା ପଞ୍ଚାୟତ ସ୍ତରୀୟ ସଭାରେ ବାଲ୍ୟବିବାହ ଓ ଶିଶୁସୁରକ୍ଷା ଉପରେ ଆଲୋଚନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପଞ୍ଚାୟତର ମାସିକ ସଭାକୁ ଟାସ୍କଫୋର୍ସର ସମସ୍ତ ସଦସ୍ୟ ଓ ସଦସ୍ୟାକୁ ଉପସ୍ଥିତ କରାଇବେ । ପଞ୍ଚାୟତ ସ୍ତରରେ ଶିଶୁ ମାନଙ୍କ ର ଜନ୍ମହାର ପ୍ରସ୍ତୁତି କରାଯିବ ।
ଯଥା ଯାନବାହାନ , ଟେଣ୍ଟ ହେଉଥିବା ପ୍ରତ୍ୟେକ ମାସିକ ବୈଠକରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରୋଧ ଉପରେ ଆଲୋଚନା କରି ରିପୋର୍ଟ ପ୍ରଦାନ କରିବେ । ଜିଲ୍ଲାର ସମସ୍ତ ଅନୁଷ୍ଠାନ ପୁରୋହିତ , କଲ୍ୟାଣ ମଣ୍ଡପ , ହାଉସ , ବ୍ୟାଣ୍ଡବାଜା ପାର୍ଟି ଆଦି ଅନୁଷ୍ଠାନମାନେ ଯେ କୌଣସି ବାହାଘରରେ ଅଂଶ ଗ୍ରହଣ କରିବା ପୂର୍ବରୁ ବର ଓ କନ୍ୟାଙ୍କ ବୟସ ତଦାରଖ କରିବେ । ଉକ୍ତ ଅନୁଷ୍ଠାନ ମାନେ ଏହାର ଅବମାନନା କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୈଠକର ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଲ ପିଓ ଶ୍ରୀ ପ୍ରଦୀପ ନାୟକ ପାୱାର ପଏଣ୍ଟ ମାଧ୍ୟମରେ ‘ ବେଟି ବଚାଓ ବେଟି ପଢାଓ ‘ ଓ ବାଲ୍ୟ ବିବାହ ସମ୍ପର୍କରେ ଉଦ୍ଧିଷ୍ଟ ଆଇନର ବିଭିନ୍ନ ମାର୍ଗ ଉପରେ ଆଲୋକପାତ କରି ଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ସତପଥୀ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବସନ୍ତ କୁମାର ପ୍ରଧାନ , ଆସିଷ୍ଟାଣ୍ଟ କଲେକ୍ଟର ଈଶାନୀ ପଣ୍ଡା , ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା , ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ . ବିଶ୍ଵ ବିହାରି ମହାନ୍ତ , ପି.ସି ପି.ଏନ୍.ଡି.ଟିର ପି.ଏ ଶ୍ରୀ ପର୍ଶୁରାମ ପଣ୍ଡା , ଚାଇଲ୍ଡ ଲାଇନ ୧୦୯୮ର କୋଅର୍ଡିନେଟର ଲିଜା ପାଣିଗ୍ରାହୀ , ଅନୁପମା ରାଉତ ଓ ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।



