ଯୁବକଙ୍କୁ ନିଶା ସେବନ କରାଇ ଅପହରଣ ଉଦ୍ୟମ : ଘଟଣା ସ୍ଥଳରେ ଉତେଜନା

ଜେ ବି ଏନ, ୧୯/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବକଙ୍କୁ ନିଶା ସେବନ କରାଇ ଅପହରଣ ଉଦ୍ୟମ। ସୂଚନା ଅନୁଯାୟୀ ହିନ୍ଦୋଳ ଏନ୍ଏସି ଅନ୍ତର୍ଗତ ବନମାଳୀପୁରର କାହ୍ନା ବେହେରା ନାମକ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗୁରୁବାର ରାତିରେ ୩ ଜଣ ଯୁବକ ନିଶା ସେବନ କରାଇ ଅପହରଣ କରି ନେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଆଉ ଅପହରଣକାରୀମାନେ ଖସି ପଳାଇଥିବା ଜଣାପଡ଼ିଛି ।
ଏପଟେ କିନ୍ତୁ କାହ୍ନାର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ପରେ ଅତ୍ୟଧିକ ଗୁରୁତର ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ତେବେ ଏହି ଅପହରଣ ଅଭିଯୋଗ ନେଇ ହିନ୍ଦୋଳ ଥାନାକୁ ଯାଇଥିବା ସ୍ଥାନୀୟ ଲୋକଙ୍କୁ ପୋଲିସ୍ ଦୁର୍ବ୍ୟବହାର କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଏପରିକି ହିନ୍ଦୋଳ ଏନ୍ଏସି ବନମାଲିପୁରଠାରେ ସ୍ଥାନୀୟ ଲୋକେ ଗୁରୁବାର ରାତିରୁ ରାସ୍ତା ଅବରୋଧ ଜାରି ରଖିଥିଲେ ଯାହା ଫଳରେ ହିନ୍ଦୋଳରୁ ଗୁଡି଼ଆକାଟେଣୀ ମୁଖ୍ୟ ରାସ୍ତାରେ ଯାତାୟାତ କରିବା ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଥିଲା । ଯୁବକଙ୍କ ଅପହରଣ କରୁଥିବା ଅପହରଣକାରୀମାନଙ୍କୁ ତୁରନ୍ତ ଗିରଫ ଦାବି ଓ ଦୁର୍ବ୍ୟବହାର କରିଥିବା ପୋଲିସ୍ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନକାରୀମାନେ ଅଡ଼ି ବସିଥିବା ଦେଖିବାକୁ ମିଳିଥିଲା । ଫଳରେ ଉତ୍ତେଜନା ଲାଗି ରହିଥିଲା । ଆନ୍ଦୋଳନସ୍ଥଳକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଗଜାନନ ପ୍ରଧାନ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି।



