କେନ୍ଦ୍ର-ରାଜ୍ୟ ମଧ୍ୟରେ ସହଯୋଗ ଖୁବ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ପିଏଲଆଇ ଯୋଜନାର ସୁଯୋଗ ନେଇ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ଆକୃଷ୍ଟ କରିବାକୁ ରାଜ୍ୟଗୁଡିକୁ ନିବେଦନ
ଜେ ବି ଏନ, ୨୦/୦୨ /୨୦୨୧, ନୂଆଦିଲ୍ଲୀ : ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦର ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଉଦଘାଟନୀ ଅଭିଭାଷଣ ରଖିଛନ୍ତି ।
ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ପ୍ରଗତିର ଭିତ୍ତି ହେଉଛି ସମନ୍ୱୟଧର୍ମୀ ସଂଘୀୟ ବ୍ୟବସ୍ଥା । ପ୍ରତିଯୋଗିତାମୂଳକ ସମନ୍ୱୟ ଭିତ୍ତିକ ସଂଘୀୟ ବ୍ୟବସ୍ଥାକୁ ଅଧିକ ଯୁକ୍ତିଯୁକ୍ତ କରିବା ପାଇଁ ଆଜିର ବୈଠକରେ ମାନସିକ ପ୍ରସ୍ତୁତି ହେବ । କରୋନା ବୈଶ୍ୱିକ ମହାମାରୀ କାଳରେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବା ଯୋଗୁ ଦେଶ ସଫଳତା ହାସଲ କଲା । ଦେଶର ସର୍ବୋଚ୍ଚ ପ୍ରାଥମିକତାଗୁଡିକୁ ଧ୍ୟାନ ରଖି ଆଜି ବୈଠକରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଗରିବ ବ୍ୟକ୍ତିକୁ ପକ୍କା ଘର ଖଣ୍ଡେ ଦେବା ପାଇଁ ଅଭିଯାନ ଏବେ ଚାଲୁ ରହିଛି । 2014 ମସିହାଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ସହର ଓ ଗ୍ରାମାଞ୍ଚଳରେ 2 କୋଟି 40 ଲକ୍ଷରୁ ଅଧିକ ଘର ତିଆରି ସମ୍ପୂର୍ଣ୍ଣ ହୋଇଛି । ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେବାଠାରୁ 18 ମାସ ମଧ୍ୟରେ ସାଢ଼େ ତିନି ଲକ୍ଷ ଗ୍ରାମାଞ୍ଚଳ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଗ୍ରାମାଞ୍ଚଳରେ ଇଣ୍ଟରନେଟ ସଂଯୋଗ ପାଇଁ ଭାରତ ନେଟ ଯୋଜନା ପରିବର୍ତ୍ତନର ଏକ ବଡ ମାଧ୍ୟମ ହୋଇଛି । ଯେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଏହି ସବୁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡିବେ କାର୍ଯ୍ୟ ଅଧିକ ଗତିଶୀଳ ହେବା ସହ ଯୋଜନାର ସୁଫଳ ସର୍ବଶେଷ ହିତାଧିକାରୀ ପାଖରେ ସହଜରେ ପହଞ୍ଚିପାରିବ ।
ଚଳିତ ବର୍ଷ ବଜେଟ ନେଇ ସକାରାତ୍ମକ ପ୍ରତିକ୍ରିୟା ଦେଶର ମନୋଭାବକୁ ସୂଚାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶ ସମୟ ନଷ୍ଟ ନକରି ଦୃତ ଅଗ୍ରସର ହେବା ପାଇଁ ମନ ସ୍ଥିର କରିସାରିଛି । ଦେଶର ଏହି ବିକାଶ ଯାତ୍ରାରେ ସାମିଲ ହେବାପାଇଁ ଘରୋଇ କ୍ଷେତ୍ର ମଧ୍ୟ ଉତ୍ସାହର ସହ ଆଗେଇ ଆସିଛି । ସରକାର ଭାବେ ଆମକୁ ଏହି ଉତ୍ସାହ ପ୍ରତି ସମ୍ମାନ ଜଣାଇ ଆତ୍ମନିର୍ଭର ଭାରତ ଅଭିଯାନରେ ଘରୋଇ କ୍ଷେତ୍ରକୁ ଯଥାସମ୍ଭବ ଭାରତକୁ ଏଭଳି ଗଢ଼ି ତୋଳିବାକୁ ପଡିବ ଯେପରି ଏହା ନିଜ ପାଇଁ ଉତ୍ପାଦନ କରି ଘରୋଇ ଆବଶ୍ୟକତା ମେଣ୍ଟାଇବା ସହ ବିଶ୍ୱ ପାଇଁ ମଧ୍ୟ ଉତ୍ପାଦନ କରିବ ଓ ତାହା ବିଶ୍ୱବ୍ୟାପୀ ଜନାଦୃତ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଭାରତ ଭଳି ଏକ ତରୁଣ ଦେଶର ଆଶା-ଆକାଂକ୍ଷାକୁ ଦୃଷ୍ଟିରେ ରଖି ଆମକୁ ଆଧୁନିକ ଭିତ୍ତିଭୂମୀ ଗଠନ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଉଦଭାବନକୁ ପ୍ରୋତ୍ସାହନ ଦେବା ସହ ପ୍ରଯୁକ୍ତିବିଦ୍ୟାର ଅଧିକ ଉପଯୋଗ କରି ଶିକ୍ଷା ଓ କୌଶଳ ବିକାଶ ଦିଗରେ ଉତ୍ତମ ସୁଯୋଗ ସୃଷ୍ଟି କରାଯିବା ଉଚିତ । ଆମର ବ୍ୟବସାୟ, ଏମଏସଏମଇ ଏବଂ ଷ୍ଟାର୍ଟଅପକୁ ଅଧିକ ମଜଭୁତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ଦେଶର ଶହେଟି ଜିଲ୍ଲା ସେମାନଙ୍କ ଶ୍ରେଷ୍ଠ ସାମଗ୍ରୀ ବାଛି ସେଗୁଡିକୁ ବଜାରକୁ ଛାଡିବା ଫଳରେ ରାଜ୍ୟମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବୃଦ୍ଧି ପାଇଛି । ଏହାକୁ ବ୍ଳକସ୍ତରକୁ ନେଇ ରାଜ୍ୟ ସଂପଦର ପୂର୍ଣ୍ଣ ବିନିଯୋଗ କରି ଅନ୍ୟ ରାଜ୍ୟକୁ ରପ୍ତାନୀ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି । କେନ୍ଦ୍ର-ରାଜ୍ୟ ମଧ୍ୟରେ ଉନ୍ନତ ସମନ୍ୱୟ ଓ ନୀତିଗତ ଢ଼ାଞ୍ଚା ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଛନ୍ତି ।
ଦେଶରେ ନିର୍ମାଣ ପ୍ରକ୍ରିୟା ବୃଦ୍ଧି କରିବା ପାଇଁ ବିଭିନ୍ନ କ୍ଷେତ୍ର ପାଇଁ କେନ୍ଦ୍ର ସରକାର ପ୍ରବର୍ତ୍ତନ କରିଥିବା ପିଏଲଆଇ ଯୋଜନା ଅପୂର୍ବ ସୁଯୋଗ ଆଣିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଯୋଜନାରୁ ସର୍ବାଧିକ ଲାଭ ଉଠାଇ ରାଜ୍ୟଗୁଡିକ ନିଜ ପାଇଁ ପୁଞ୍ଜିବିନିଯୋଗ ପରିସର ବୃଦ୍ଧି ସହ ହ୍ରାସ କରାଯାଇଥିବା ବାଣିଜିକ ଟିକସ ହାର ଯୋଜନାର ସୁବିଧା ଦେବାକୁ ସେ ନିବେଦନ କରିଛନ୍ତି ।
ବଜେଟରେ ଭିତ୍ତିଭୂମି କ୍ଷେତ୍ରରେ କରାଯାଇଥିବା ବ୍ୟୟବରାଦ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଅନେକ ସ୍ତରରେ ସମୃଦ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜ୍ୟଗୁଡିକ ଆତ୍ମ ନିର୍ଭରଶୀଳ ହେବା ସହ ସେମାନଙ୍କ ବଜେଟରେ ବିକାଶକୁ ପ୍ରାଧାନ୍ୟ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ପଞ୍ଚଦଶ ଅର୍ଥ ଆୟୋଗଙ୍କ ଦ୍ୱାରା ସ୍ଥାନୀୟ ସଂସ୍ଥାଗୁଡିକୁ ବଡ ଧରଣର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସ୍ଥାନୀୟ ପ୍ରଶାସନିକ ସଂସ୍କାରରେ ଜନସାଧାରଣଙ୍କ ଅଂଶଗ୍ରହଣ ସହ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।
ଖାଇବା ତେଲ ଆମଦାନୀରେ ଆମର 65 ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି ଯାହାକି ଆମ ଚାଷୀମାନଙ୍କ ପାଖରେ ରହିପାରିଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଅନେକ କୃଷିଜାତ ସାମଗ୍ରୀ ରହିଛି ଯାହାକି ଆମ ଦେଶର ଚାହିଦା ମେଣ୍ଟାଇବା ସହ ବିଦେଶକୁ ମଧ୍ୟ ପଠାଯାଇ ପାରନ୍ତା । ସେ ଦୃଷ୍ଟିରୁ ପ୍ରତ୍ୟେକ ରାଜ୍ୟ ସେମାନଙ୍କ ଆଞ୍ଚଳିକ ଜଳବାୟୁ ଭିତ୍ତିକ କୃଷି ଯୋଜନା ଖସଡା ପ୍ରସ୍ତୁତ କରିବା ଆବଶ୍ୟକ । ବିଗତ ବର୍ଷ ଗୁଡିକରେ କୃଷିଠାରୁ ଆରମ୍ଭ କରି ପଶୁପାଳନ ଓ ମତ୍ସଚାଷ ପର୍ଯ୍ୟନ୍ତ ଏକ ସାମଗ୍ରୀକ ନୀତି ଗ୍ରହଣ କରାଯାଇଛି । ସେ ଦୃଷ୍ଟିରୁ କରୋନା ମହାମାରୀ ସମୟରେ ମଧ୍ୟ ଦେଶର କୃଷି ରପ୍ତାନୀ ବୃଦ୍ଧି ପାଇଛି ।
ନଷ୍ଟ ହେବାରୁ ରୋକିବା ପାଇଁ କୃଷି ଜାତ ସାମଗ୍ରୀର ଭଣ୍ଡାରଣ ଓ ପ୍ରକ୍ରିୟା କରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଛନ୍ତି । ଅଧିକ ଲାଭ ଦୃଷ୍ଟିରୁ କଞ୍ଚାମାଲ ପରିବର୍ତ୍ତେ ପ୍ରକ୍ରିୟାକୃତ ଖାଦ୍ୟସାମଗ୍ରୀ ରପ୍ତାନୀ ଉପରେ ସେ ଜୋର ଦେଇଛନ୍ତି । ଆବଶ୍ୟକ ଆର୍ଥିକ ସହାୟତା, ଉନ୍ନତ ଭିତ୍ତିଭୂମି ଓ ଆଧୁନିକ ବୈଷୟିକ ଜ୍ଞାନ କୃଷକମାନଙ୍କୁ ଉପଲବ୍ଧ କରାଇବାକୁ ହେଲେ ସଂସ୍କାର ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟରେ ଅନ୍ୟାନ୍ୟ ସେବା ଯୋଗାଣକାରୀ ବା ଓଏସପି ନିୟନ୍ତ୍ରଣରେ ସଂସ୍କାର ଅଣାଯିବା ଯୋଗୁ ଆମର ଯୁବଗୋଷ୍ଠକୁ ଯେ କୌଣସି ସ୍ଥାନରୁ କାମ କରିବାର ସୁଯୋଗ ମିଳିଛି ଓ ଆମର ପ୍ରଯୁକ୍ତି କ୍ଷେତ୍ର ଏହା ଦ୍ୱାରା ସର୍ବାଧିକ ସୁବିଧା ପାଇଛନ୍ତି । ଏଥିରେ ଥିବା ଅନେକ କଟକଣାକୁ ହଟାଇ ଦିଆଯାଇଛି । ଭୂସ୍ଥାନିକ ତଥ୍ୟାବଳୀକୁ ନିକଟରେ କୋହଳ କରିଯାଇଛି । ଏହା ଆମର ଷ୍ଟାର୍ଟଅପ ଓ ବୈଷୟିକ କ୍ଷେତ୍ରକୁ ସାହାଯ୍ୟ କରିବା ସହ ଜନସାଧାରଣଙ୍କ ଜୀବନଧାରଣ ସୁଗମତାରେ ମଧ୍ୟ ବିକାଶ ଘଟାଇଥିବା ସେ କହିଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-4-scaled.jpg)

