ଭୂବନେଶ୍ୱର, ୩୧/୦୧ : ଫେବୃୟାରୀ ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଓ ଇଂଲଣ୍ଡ ଏକ ଦିବସୀୟ କ୍ରିକେଟ ମ୍ୟାଚ୍ । ଏହା ପୂର୍ବରୁ ଆଜି ବାରବାଟି ଷ୍ଟାଡିୟମ୍ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପୂର୍ବାହ୍ନ ସାଢେ଼ ୧୧ଟା ସମୟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ବଦଳିଲା ବାରବାଟୀ ଟିକେଟ କାଉଣ୍ଟର ସ୍ଥାନ।
ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି କଟକ ବାରବାଟୀ ଷ୍ଟାଡିୟମ୍ ମୁଖ୍ୟ ରାସ୍ତା କଡ଼ରେ ଥିବା ଟିକେଟ୍ କଣ୍ଟେନର ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟ ରାସ୍ତା କଡ଼ରେ ନ ରଖି ଭିତରକୁ ନିଆଯାଇଛି କାଉଣ୍ଟର ଗୁଡ଼ିକୁ । ଗତକାଲି ବିଳମ୍ବିତ ରାତିରେ ଏଗୁଡ଼ିକୁ ସ୍ଥାନାନ୍ତର କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଓସିଏର ପ୍ରିନ୍ସିପାଲ କନସଲଟାଣ୍ଟ ବିଷ୍ଣୁ ପ୍ରସାଦ ମହାପାତ୍ର ଉପସ୍ଥିତ ରହି ଏହି କାମର ତଦାରଖ କରିଥିଲେ ।ଏଥର ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ସ୍ଵତନ୍ତ୍ର ଲାଇନ୍ ରେ ଛିଡା ହୋଇ ଟିକେଟ କିଣିବେ ମହିଳା । ପ୍ରତି ତିନୋଟି ପୁରୁଷ କାଉଣ୍ଟରରେ ଗୋଟିଏ ମହିଳା କାଉଣ୍ଟର ରହିବ । ମୋଟ ୬ ଟି ଟିକେଟ କାଉଣ୍ଟରରେ ବିକ୍ରି ହେବ ଟିକେଟ । ଆସନ୍ତା ଫେବୃୟାରୀ ଦୁଇ ତାରିଖରୁ ଅନ୍ ଲାଇନ୍ ଟିକେଟ ବିକ୍ରି ଆରମ୍ଭ । ଫେବୃଆରୀ ୫ ଓ ୬ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ।



