ସଡକ ସୁରକ୍ଷା ମାସ ୨୦୨୫ ଊଦ୍ଯାପିତ
ଅନୁଗୋଳ,ତା.୩୧.୦୧:- ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସଡକ ସୁରକ୍ଷା ମାସ ପାଳନର ଊଦଯାପନି ଊତ୍ସବ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହୋଇଥିବାରୁ ପୂର୍ବାପେକ୍ଷା ଅଧିକ ଯାନବାହନର ବ୍ୟବହାର ବୃଦ୍ଧି ପାଇଛି ଏବଂ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବଢି ଚାଲିଛି । ଯାହା ଫଳରେ ଦୁର୍ଘଟଣା ହାରର ସଂଖ୍ୟା ମଧ୍ୟ ବୃଦ୍ଧି ପାଊଛି । ଜନ ସଚେତନତା ହିଁ ଏହି ସମସ୍ୟା ସମାଧାନର ଏକମାତ୍ର ବିକଳ୍ପ । ଟ୍ରାଫିକ୍ ନିୟମ ସମ୍ପର୍କରେ ଅଧିକରୁ ଅଧିକ ଜନସଚେତନତା ଏବଂ ଏହାର ସଠିକ୍ କାର୍ଯ୍ୟକାରିତାରେ ଦୁର୍ଘଟଣା ହାରରେ ସୁଧାର ହୋଇପାରିବ ବୋଲି ସେ କହିଥିଲେ । ଏହି ମାସ ପାଳନ ଉପଲକ୍ଷେ ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରୀୟ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ମଞ୍ଚାସିନ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ୪ ଜଣ ଶ୍ରେଷ୍ଠ ଗାଡି ଚାଳକ ଏବଂ ଦୁର୍ଘଟଣା ସମୟରେ ସାହାଯ୍ୟ କରିଥିବା ୧୧ ଜଣ ବ୍ୟକ୍ତି ବିଶେଷଙ୍କୁ ୨୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସଡକ ସୁରକ୍ଷା ସମ୍ବନ୍ଧୀୟ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେନ୍ଦ୍ରନାଥ ରାୟଗୁର, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ବାଗ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ଯାଣ) ଡ ଅନ୍ତର୍ଯ୍ୟାମୀ ମିଶ୍ର, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରତାପ କୁମାର ହରିପାଲ, ଅନୁଗୋଳ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ନିଖିଳ କୁମାର ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ତଥା ସଡକ ସୁରକ୍ଷା କମିଟିର ସଦସ୍ୟ ଶ୍ରୀ ସଂଗ୍ରାମ ରଞନ ଦାସଙ୍କ ସମେତ ଛାତ୍ର ଛାତ୍ରୀ, ଗାଡିଚାଳକ,ଗଣମାଧ୍ୟମର ପ୍ରତିନଧି ପ୍ରମୁଖ ଉପସ୍ଥିତ ଥିଲେ ।



