ଭୂବନେଶ୍ୱର, ୦୪/୦୨ : ଆସନ୍ତା ୫ ତାରିଖରେ ଶୁଭାରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା । ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ । ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ ।
ଏଠାରେ ଏଲ୍ଇଡି ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ରହିବେ । ସେହିଭଳି ୩୧୪ ବ୍ଲକ୍ରେ ମଧ୍ୟ ମୁଖ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଓକାକ୍କୁ ଦାୟିତ୍ୱ ଦିଆଯାଇଛି ।ଏହି ଯୋଜନାର ଶୁଭାରମ୍ଭର ବ୍ୟାପକ ପ୍ରଚାରପ୍ରସାର କରାଯିବ । ଏଥିପାଇଁ ହାତଖୋଲା ଖର୍ଚ୍ଚ କରିବାକୁ ସରକାର ଯୋଜନା କରିଛନ୍ତି । ଯୋଜନାର ପ୍ରଚାର ପାଇଁ ପ୍ରତି ବ୍ଲକ୍କୁ ୧ଲକ୍ଷ ଟଙ୍କାର ପାଣ୍ଠି ଦିଆଯିବ । ସେହିଭଳି ଯୋଜନା ଶୁଭାରମ୍ଭ ଦିନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ୩୧୪ଟି ବ୍ଲକ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଆୟୋଜନ ଓ ପ୍ରଚାରପ୍ରସାର ବାବଦରେ ପଞ୍ଚାୟତିରାଜ ବିଭାଗ ମୋଟ ୯ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । ୫ ତାରିଖ ସୁଦ୍ଧା ବ୍ଲକ୍ରେ ଏହି ତାଲିକା ଦାଖଲ ହେବ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ନିର୍ଦ୍ଦିଷ୍ଟ ଭାବେ କେବେ ଟଙ୍କାର ପାଣ୍ଠି ଦିଆଯିବ ତାହା ଚୂଡ଼ାନ୍ତ ହୋଇନି । ଜନସଂଖ୍ୟା ଓ ପ୍ରକଳ୍ପ ଆବଶ୍ୟକ ଦେଖି ଜିଲ୍ଲା ପରିଷଦ ମାଧ୍ୟମରେ ପାଣ୍ଠି ବଣ୍ଟାଯିବ । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବ୍ଲକ୍କୁ ଯୋଜନାର ସିଂହ ଭାଗ ପାଣ୍ଠି ଦେବାକୁ ପଞ୍ଚାୟତିରାଜ ବିଭାଗ ଯୋଜନା କରିଛି ।



