ମଦ ଦୋକାନ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ
ଢେଙ୍କାନାଳ, ୧୦/୨: ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ଗ୍ରାମପଂଚାୟତର ୧୦ଟି ଗ୍ରାମ ଓ ପଡୋଶୀ ଗ୍ରାମର ଲୋକମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଭଲ ବୈଠକରେ ସମସ୍ତଙ୍କର ନିଷ୍ପତି କ୍ରମେ କାନଖାଇ ମୌଜାରେ ହେବାକୁ ଥିବା ମଦ ଦୋକାନକୁ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେବା ପାଇଁ ଅଦ୍ୟ ଧିରପାଟଣା ଗ୍ରାମ ପଂଚାୟତରେ ପହଁଞ୍ଚି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ପ୍ରଦାନ କରିଥିଲେ । ପ୍ରକାଶ ଯେ, ଗତ କିଛିଦିନ ତଳେ ସଚେତନ ନାଗରିକ ମଂଚର ସ୍ଥାନୀୟ ବାଲୁକେଶ୍ଵର ଦେବ ମଣ୍ଡପ ପ୍ରାଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଗ୍ରାମପଂଚାୟତର ଉନ୍ତିକରଣ, ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ, କୃଷି ଓ ସାମାଜିକ ବିଧାନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ପଞ୍ଚାୟତର ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ସମାଜସେବୀ ତା ୮୨ଟି ସଂୟ୍ବ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ । ବାଲିବୋ ଗ୍ରାମପଞ୍ଚାୟତ ଅଧିନ କାନଖାଇ ମୌଜାରେ ଏକ ମଦ ଦୋକାନ ଖୋଲିବାକୁ ସରକାରଙ୍କ ତରଫରୁ ଅନୁମତି ମିଳୁଥୁବା ନେଇ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ମଦ ଦୋକାନ ଖୋଲିଲେ ଗ୍ରାମପଞ୍ଚାୟତର କୌଣସି ଉନ୍ନତି ହୋଇପାରିବ ନାହିଁ ବରଂ ରାହାଜାନୀ, କଳହ, ହିଂସା, ଅତ୍ୟାଚାର, ଅନ୍ୟାଚାର ଓ ବ୍ୟଭିଚାରର ପରିଭାଷା ପାଇଁ ରାସ୍ତା ପରିଷ୍କାର ହେବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଥିଲେ । ତେଣୁ ସର୍ବସମ୍ମତି କ୍ରମେ ଏହାକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଅବଗତି କରାଇବା ପାଇଁ ସ୍ଥାନୀୟ ବାଲିବୋ ସରପଞ୍ଚ ଓ ସ୍ଥାନୀୟ ବିଧାୟକଙ୍କୁ ଏଇ ଦରଖାସ୍ତ ଦିଆଯାଇଥିଲା । ଏହାକୁ ନେଇ ଅଂଚଳବାସୀ ଜିଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏହି ଅଭିଯୋଗ ପ୍ରଦାନ ବେଳେ ସ୍ଥାନୀୟ ସରପଞ୍ଚ ଶୁଭ ସ୍ନିଗ୍ଧା ବାରିକଙ୍କ ସହିତ ବାଲିବୋ ଗ୍ରାମବାସୀ ବିନୋଦ କୁମାର ସ୍ବାଇଁ, ଗୋକୁଳାନନ୍ଦ ବାରିକ୍, ସନାତନ କର, ଗଣେଶ୍ବର ସାଇଁ, ରବି ସେଠି, କାନଖାଇ ଗ୍ରାମର ଆନନ୍ଦ କୁମାନ ସାହୁ, ପବିତ୍ର କୁମାର ସାହୁ, ସୂର୍ଯ୍ୟୋଧନ ସାହୁ, ବିଶ୍ୱନାଥ ବେହେରା, ମନୋଜ ଦେହୁରୀ, ମିଟୁନ୍ ସାହୁ, ସରୋଜ କୁମାର ବେହେରାଙ୍କ ସମେତ ଶତାଧିକ ଅଂଚଳବାସୀ ଯୋଗଦେଇଥିଲେ ।
