ଭୂବନେଶ୍ୱର, ୨୮/୪ : ଶହଶହ ଭକ୍ତଙ୍କ ଭାବବିହ୍ୱଳ ସହିତ ଆଧ୍ୟତ୍ମିକ ପରିବେଶରେ ପୁରୀକୁ ଗଡିଲା ରଥ କାଠ ଗାଡି । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଯାଇଛି ବୌଦ୍ଧ ଜିଲ୍ଲାରୁ କାଠ । ରଥ ନିର୍ମାଣ ପାଇଁ ଅସନ, ଧଉଡା, ଫାସି କିସମର ୧୦୦ଖଣ୍ଡ କାଠ ବୌଦ୍ଧ ଜିଲ୍ଲାରୁ ଯିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୮ ଖଣ୍ଡ କାଠ ପଠାଯାଇଛି ।
କଣ୍ଟାମାଳ ରେଞ୍ଜରୁ ଗୋଟିଏ ଟ୍ରକରେ ଧଉରା ୧୮ଖଣ୍ଡ ଓ ୧୦ ଖଣ୍ଡ ଅସନ ସମୁଦାୟ ୨୮ଖଣ୍ଡ କାଠକୁ ବୌଦ୍ଧ ଅଣାଯାଇ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରାଯିବା ପରେ ଭାବବିହ୍ୱଳ ପରିବେଶ ମଧ୍ୟରେ ପୁରୀ ଅଭିମୁଖେ ପ୍ରେରଣ କରାଯାଇଛି ରଥକାଠ l ନିଜ ଅଂଚଳରୁ ରଥ କାଠ ଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଖୁସି ଦେଖା ଦେଇଛି l ବୌଦ୍ଧ ଜିଲ୍ଲାରୁ ଅଷ୍ଟମ ବର୍ଷ ପାଇଁ ଯାଇଛି ଏହି ରଥ କାଠ l ଗତ ୨୦୧୮ ମସିହାରୁ ଲଗାତାର ଭାବେ ବୌଦ୍ଧ ବନ ବିଭାଗ ପକ୍ଷରୁ ରଥ କାଠ ଯୋଗାଇ ଆସୁଛି। ଦ୍ୱିତୀୟ ପର୍ଯ୍ୟାୟରେ ୪ ଟ୍ରକ କାଠ କଟାଯାଇଥିବା ବେଳେ ଆବଶ୍ୟକ ହେଉଥିବା ୪୦ ଫୁଟ ଲମ୍ବର କାଠ ଚିହ୍ନଟ କରାଯାଇଥିବା ବୌଦ୍ଧ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ଲ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେପଟେ ନୀତି କାନ୍ତି ଶୃଙ୍ଗଳିତ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପବିତ୍ର ଅକ୍ଷୟ ତୃତୀୟା ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁଇଟି ନିତି ଅନୁଷ୍ଠିତ ହୋଇଥାଏ । ସେପଟେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥାଏ ଏହି ଅକ୍ଷୟ ତୃତୀୟା ପରି ପବିତ୍ର ଦିନରେ । ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ହେବ । ଏଥି ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହେଉଥିବା ବେଳେ ଚାପରେ ବ୍ୟବହୃତ ଡଙ୍ଗାର ମରାମତି କରାଯାଉଛି ।



