କାଳ ବୈଶାଖୀ ବର୍ଷାରେ ଧସିଲା କେନାଲ ରାସ୍ତା
ତାଳଚେର, ୦୪/୦୫ କାଳବୈଶାଖୀ ବର୍ଷା ଜନିତ ତାଳଚେର ସହରର ଆଖପାଖ ଅଂଚଳ ଗୁଡ଼ିକରେ ବର୍ଷା ପାଣି ଜମାଟ ବାନ୍ଧିବା ଯୋଗୁଁ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି । କିଛି ଅଂଚଳ ଏବେ ଜଳଘେରି ମଧ୍ୟରେ ରହିଛି । ମୁଷଲଧାରାରେ ବର୍ଷା ହେବାଯୋଗୁଁ ରାସ୍ତାରେ ୩ରୁ ୪ଫୁଟ୍ ପାଣି ଲହଡ଼ି ମାରୁଥିବା ବେଳେ ଡ୍ରେ଼ନେ ଗୁଡ଼ିକର ବ୍ୟବସ୍ଥା ଅତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଏବଂ ପାଣିମାହାରା ଗୁଡ଼ିକ ଉପରେ ବଡ଼ବଡ଼ ଅଟ୍ଟାଳିକାମାନ ନିର୍ମାଣ ହୋଇଥିବାରୁ ଏହି ଜଳନିଷ୍କାସନରେ ବାଧକ ସାଜିଥିବା ଅଭିଯୋଗ ହୋଇଛି । ତାଳଚେର ସହର ଚାଳିଆକୁଟ୍ଟା ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ କେନାଲଟି ପାଖାପାଖି ୨୦ଫୁଟ୍ ଗଭୀର ଧସିଯାଇଥିବାରୁ ସେଠାରୁ ଏକ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି । ଗାଈଗୋରୁମାନେ ସେହିବାଟଦେଇ ଚରିବାକୁ ଯାଉଥିବାରୁ କେତେ ବେଳେ ଯେ, କେନାଲ ଭିତରେ ଖସିପଡ଼ି କ’ଣ ହେବ ତାହା କହିବା ସମ୍ଭବ ନୁହଁ । ଏପରିକି, ଜାତୀୟ ରାଜପଥ ଟ୍ରାଫିକ୍ ସମସ୍ୟା ରହୁଥିବାରୁ ସେହି ରାସ୍ତାଦେଇ ବାଇକ ଠାରୁ ଆରମ୍ଭ କରି ଛୋଟଛୋଟ ଗାଡ଼ି ଯାତାୟତ କରିଥାନ୍ତି ଯଦି ଏଥିପାଇଁ କିଛି ଅଘଟଣ ଘଟେ ତେବେ କିଏ ଦାୟୀ ହେବ? କେନାଲର ଉଭୟ ପାଶ୍ୱର୍ରେ ସୁରକ୍ଷା ବାଡ଼ା ନଥିବା ଓ ନିମ୍ନମାନର କାମ ହେଇଥିବା ଯୋଗୁଁ ଏହି କେନାଲ ପୂର୍ବରୁ ଏପରି ଅଘଟଣ ଘଟି ଯାଇଥିଲେ ମଧ୍ୟ କେନାଲ ବିଭାଗ କେବଳ ମାଟି ଢ଼ାଳିଦେଇ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଥାନ୍ତି ବୋଲି କୁହାଯାଉଛି । ବର୍ଷା ଯୋଗୁଁ କେନାଲ ରସ୍ତାର କିଛି ଅଂଶ ଧସିଯିବା ଦ୍ୱାରା ଯାତାୟତ ବାଧାପ୍ରାପ୍ତ ହେବା ସହିତ ରାସ୍ତାଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ତୁରନ୍ତ ଏହି କେନାଲ ରାସ୍ତାଟିକୁ ଯୁଦ୍ଧକାଳୀନ ଭିତରେ ନିର୍ମାଣ କରିବା ନେଇ ସାଧାରଣରେ ଦାବି ହୋଇଛି ।



