ଭୂବନେଶ୍ୱର: ନାଜିବାଦ ବିରୁଦ୍ଧରେ ଋଷ ବିଜୟର ୮୦ ତମ ବାର୍ଷିକୀ ଉତ୍ସବ ପାଳନ କରୁଛି। ଏହି ଅବସରରେ ଓଡ଼ିଆ ବୀର ପୁଅ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇଛି ଋଷ। ତେବେ ବିଜୟ ଉତ୍ସବ ପାଇଁ ମେ ୯ ତାରିଖରେ ମସ୍କୋରେ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବ।
ଦ୍ଵିତୀୟ ବିଶ୍ୱଯୁଦ୍ଧରେ ବିଜୁ ବାବୁଙ୍କ ସାହସ ଶୌର୍ଯ୍ୟ ଓ ପରାକ୍ରମର ଗାଥା ଆଜି ପୁଣି ଗୁଞ୍ଜରିତ ହୋଇଥିଲା ନୂଆଦିଲ୍ଲୀ ସ୍ଥିତ ଋଷ ଦୂତାବାସରେ।
ଷ୍ଟାଲିନ ଗ୍ରାଡ଼ ଅଭିଯାନରେ ବିଜୁବାବୁଙ୍କ ଅବଦାନକୁ ମନେପକାଇ ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଋଷିଆ ହାଉସରେ ଆଜି ସକାଳେ ଆୟୋଜିତ ହୋଇଥିଲା ଏକ ଭବ୍ୟ ଉତ୍ସବ। ଏଥରେ ମୁଖ୍ୟଅତିଥି ଭାବେ ବିଜୁ ବାବୁଙ୍କ ସୁପୁତ୍ର ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ। ଭାରତରେ ଋଷର ରାଷ୍ଟ୍ରଦୂତ ମିଃ ଡେନିସ ଅଲିପୋବଙ୍କ ଉପସ୍ଥିତିରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ସ୍ମାରକୀ ଫଳକ ଉନ୍ମୋଚନ ହୋଇଥିଲା।ଏହି ଅବସରରେ ମହାନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ନବୀନ କହିଥିଲେ ଯେ ବିଜୁ ବାବୁଙ୍କ ସାହସ ଓ ପରାକ୍ରମ ପାଇଁ ସାରା ଦେଶ ଗର୍ବିତ। ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜଣେ ପାଇଲଟ ଭାବରେ ବିଜୁ ବାବୁ ଯେଭଳି ଅତୁଳନୀୟ ସାହସ ପ୍ରଦର୍ଶନ କରି ଷ୍ଟାଲିନ ଗ୍ରାଡ଼ରେ ଅବରୁଦ୍ଧ ଋଷ ସେନାକୁ ଅସ୍ତ୍ର ଶସ୍ତ୍ର ଯୋଗାଇ ନାଜି ବିରୁଦ୍ଧରେ ଋଷର ବିଜୟକୁ ସୁଗମ କରିଥିଲେ ତାହା ଅନନ୍ୟ। ବିଜୁ ବାବୁଙ୍କ ଏହି ସାହସ ଓ ପ୍ରତିବଦ୍ଧତା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ବୋଲି ସେ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଋଷ ଦୁତାବାସର ଉଚ୍ଚ ଅଧିକାରୀ ମାନଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।



