ପୋଖରୀରେ ଭାସୁଛି କୁଢ଼କୁଢ଼ ଆବର୍ଜନା, ଅତିଷ୍ଠ ଅଂଚଳବାସୀ
ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ
ତାଳଚେର, ୧୨/୦୫ ପୋଖରୀରେ ଭାସୁଛି କୁଢ଼କୁଢ଼ ଆବର୍ଜନା ମଦବୋତଲ, ପ୍ଲାଷ୍ଟିକ ବୋତଲ ଓ ପଲିଥିନ ଭିତରେ ହଜିଯାଇଛି ପାଣିର ସତା, କେବଳ ସେତିକ ନୁହେଁ ଯିଏ ଯାହା ପାରିଲା ଏଠାରେ ପକାଇଲା । ଫଳରେ ପାଣି ଦୂଷିତ ହେବା ସହିତ ସେହି ପାଣି ବ୍ୟବହାର ପାଇଁ ଆଦୌ ଉପଯୋଗୀ ନୁହେଁ । ଚାରିପାଖରେ ଅନାବନା ଗଛ ସହିତ ବଣବୁଦା ହୋଇଥିବାରୁ ପୋଖରୀ ସୌନ୍ଦର୍ଯ୍ୟ ଚୂଲିକୁ ଯାଇଛି । ଆବର୍ଜନା ଗୁଡ଼ିକ ଜମାହୋଇ ପଚିଯିବାରୁ ପାଣି ଦୂଷିତ ହେବା ସହ ପଙ୍କକାଦୁଅରେ ଭର୍ତି ହୋଇଛି । ଏପରିକି, ଏହି ପୋଖରୀର ସୌନ୍ଦର୍ଯ୍ୟ ଓ ଉନ୍ନତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବିନିମୟରେ ପୋଖରୀ ପୁନରୁଉଦ୍ଧାର, ହୁଡ଼ାର ଚର୍ତୁପାଶ୍ୱର୍ରେ ଟାଇଲ୍ସରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଏହି ଟାଇଲ୍ସ ଗୁଡ଼ିକ ଏବେ ଭାଙ୍ଗି ରୁଜି ବିପର୍ଯ୍ୟସ୍ତ ଅବସ୍ଥାରେ । ଏପରିକି, ପୋଖରୀର ଜଳ ନିୟମିତ ଭାବେ ନିଷ୍ଟାସନ ହେଉନଥିବାରୁ ସେହି ଜଳ ଦୀର୍ଘବର୍ଷ ରହି ନୀଳ ରଙ୍ଗ ହୋଇ ଏହାର ଜଳ ପରିତ୍ୟକ୍ତ ହେଉଥିବାରୁ ତାହା ଅନୁଯୋଗୀ ହୋଇଛି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏଭଳି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ତାଳଚେର ପୌରପରିଷଦର ରାଜାରାଜୁଡ଼ା ଅମଳରୁ ସୌଭାଗ୍ୟ ସାଗର ପୋଖରୀ । ଏହା ଏବେ ସୌଭାଗ୍ୟ ସାଗର ପରିବର୍ତେ ଦୁର୍ଭାଗ୍ୟ ସାଗରରେ ପରିଣତ ହୋଇଛି । ଏହାର ଭିତିଭୂମି ନିର୍ମାଣ ଓ ପୁନରଉଦ୍ଧାର ପାଇଁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଠାରୁ ଆରମ୍ଭ କରି ପ୍ରାକ୍ତନ ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥୀ ଓ ପୂର୍ବରୁ ରହିଆସିଥିବା ନଗରପାଳ ପ୍ରମୁଖ ଏହାର ଉନ୍ନତି ନେଇ ଅଂଟା ଭିଡ଼ି ବ୍ୟୟବରାଦ କରାଯାଇଥିଲେ ମଧ୍ୟ ସେ ଟଙ୍କା କେଉଁଠାରେ ଖର୍ଚ୍ଚ ଓ କିପରି ଖର୍ଚ୍ଚ ହେଲା ନା ତାକୁ କିଏ ଆତ୍ମସାତ୍ କରିଦେଲା । ୫ଏକର ଉର୍ଦ୍ଧ୍ୱ ପରିମିତ ଜାଗାରେ ରହିଥିବା ଏହି ଜଳାଶୟ ସ୍ଥାନଟି ଅଂଚଳର ଏକ ପରିଚୟ ପାଲଟିଥିଲା । ପୌରପରିଷଦର ୬, ୭, ୮, ୯, ୧୦ ନମ୍ବର ୱାର୍ଡ଼ର ବାସୀନ୍ଦାମାନେ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି । ଏପରିକି, ଜନ୍ମମୃତ୍ୟୁ ସମୟରେ ସମସ୍ତ କର୍ମ କରିବାକୁ ଏହି ପୋଖରୀ କେବଳ ଏକ ମାତ୍ର ନିର୍ଭିର ଯୋଗ୍ୟ ଥିଲା । ଧିରେ ଧିରେ ପୋଖରୀ ପାଣି ନିଷ୍କାସନ ନହେବାରୁ ତାହା ଆବର୍ଜନା କୁଣ୍ଡ ପାଲଟିଯାଇଛି । ସଞ୍ଜ ଆସିଗଲେ ଏହି ପୋଖରୀ ହୁଡ଼ାରେ ଅସାମାଜିକ ଲୋକଙ୍କର ଭିଡ଼ ଜମିଥାଏ । ମଦ ଓ ନିଶା କାରବାରର ଏହା ପେଣ୍ଠସ୍ଥଳୀ ହୋଇଥବାରୁ ମଦ ସେବନ କରି ସାରିବାପରେ ଏହାର ପ୍ଲାଷ୍ଟିକ ଗ୍ଲାସ୍ ଓ ବୋତଲକୁ ଏହି ପୋଖରୀ ହୁଡ଼ାରେ ଓ ପୋଖରୀ ଭିତରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । କିଛି ବର୍ଷ ପୂର୍ବରୁ ତାଳଚେର ଟାଉନ ପୋଲିସ୍ ବାରମ୍ବାର ଏହି ପୋଖରୀ ଅଂଚଳରେ ଚଢ଼ାଉ କରି ଅସାମାଜିକ ଯୁବକକୁ ଥାନାକୁ ଆଣି ବ୍ରାଉନସୁଗାର ଓ ମଦ ଜବତ କରିଥିବା ନଜିର ରହିଥିଲେ ମଧ୍ୟ ବର୍ତମାନ ପୋଲିସ୍ର ଅଙ୍କୁଶ ରହୁନଥିବାରୁ ସଞ୍ଜ ନଇଁଗଲେ ଅସାମାଜିକ ଯୁବକ ନିଶାଶକ୍ତ ଅବସ୍ଥାରେ ଏଠାରେ ବସି ବେଶ ମଜାମଉସ କରୁଥିବା ଅଭିଯୋଗ ହୋଇଥାଏ । ତେବେ ପୌରପରିଷଦ ନିକଟରେ ଏହି ପୋଖରୀ ରହିଥିବାରୁ ପୌରପରିଷଦ ପକ୍ଷରୁ ମଧ୍ୟ ଉନ୍ନତି କରଣ ପାଇଁ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ତେଣୁ ପୌରପରିଷଦ ପକ୍ଷରୁ ଏହାର ପୁନଉଦ୍ଧାର ପୋଲିସ୍ ପ୍ରଶାସନ ପକ୍ଷରୁ ପାଟ୍ରୋଲିଙ୍ଗ କଡ଼ାକଡ଼ି କରିବାକୁ ଅଂଚଳବାସୀ ଦାବି କରିବା ସହିତ ଝିଅ, ବୋହୁମାନେ କିପରି ସୁରକ୍ଷିତ ଭାବେ ଏହି ପୋଖରୀକୁ ବ୍ୟବହାର ଉପଯୋଗ୍ୟ ଓ ଯାତାୟତ କରିପାରିବେ ସେଥିପାଇଁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।



