ଜିଲ୍ଲା ସ୍ତରୀୟ ରାଜସ୍ୱ ଅଧିକାରୀ ଓ କର୍ମଚାରୀ ପ୍ରଶିକ୍ଷଣ ଶିବିର ଆୟୋଜିତ

ଢେଙ୍କାନାଳ, ତା. ୧୭.୫.୨୦୨୫- ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସଭାଗୃହ ଠାରେ ରାଜସ୍ବ ଅଧିକାରୀ ଓ କର୍ମଚାରୀମାନଙ୍କ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି l ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଏହି ପ୍ରଶିକ୍ଷଣ ଶିବିର ଯୋଗୁଁ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ନୂଆ ନୀତି ନିୟମର ବ୍ୟବହାରିକ ଜ୍ଞାନ ଆହରଣ କରି ରାଜସ୍ବ ଅଧିକାରୀ ଓ କର୍ମଚାରୀମାନେ ସରକାରୀ କାର୍ଯ୍ୟ ଦକ୍ଷତାର ସହିତ ସଂପାଦନ କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ସାମଗ୍ରିକ ବିକାଶରେ ରାଜସ୍ଵ ହିଁ ମୂଖ୍ୟ ସ୍ରୋତ ବୋଲି କହିଥିଲେ । ରାଜସ୍ଵ ଅଧିକାରୀ ମାନେ ସବୁ ବେଳେ ସରକାରୀ ରୁଲ୍ସ ଏବଂ ରେଗୁଲେସନ୍ ସଂପର୍କରେ ଅବଗତ ହୋଇ ନିଜର ଦକ୍ଷତା ବୃଦ୍ଧି ସହିତ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ । ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଅବସରପ୍ରାପ୍ତ ଆଇ.ଏ.ଏସ. ଶ୍ରୀ ଅଭୟ କୁମାର ନାୟକ ଏବଂ ଏସ. ଆର.ସି. ର ଅତିରିକ୍ତ ସଚିବ ଶ୍ରୀ ସରୋଜ କୁମାର ସାହୁ ଉପସ୍ଥିତ ରହି ରାଜସ୍ବ ଏବଂ ଜମି ଅଧିଗ୍ରହଣ ସଂପର୍କିତ ରୁଲ୍ସ ଓ ରେଗୁଲେସନ ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ଲଳିତ ମୋହନ ବେହେରା ସ୍ୱାଗତ ଭାଷଣ ଦେଇ, ଏହି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନର ସଂପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଉପ ଜିଲ୍ଲାପାଳ, ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ତହସିଲଦାର, କନିଷ୍ଠ ଏବଂ ବରିଷ୍ଠ ରାଜସ୍ବ ସହାୟକମାନେ ଯୋଗ ଦେଇଥିଲେ । ସଭାକାର୍ଯ୍ୟ ଶେଷରେ ଡେପୁଟୀ କଲେକ୍ଟର ଶ୍ରୀମତୀ ସୌଦାମିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



