ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ଅନୁଗୋଳ :- ତା. ୨୦.୦୫:- ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର ଅଧ୍ୟକ୍ଷତା କରିଥିବାବେଳେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ଆଠମଲ୍ଲିକ ବିଧାୟକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ପାଲଲହଡା ବିଧାୟକଙ୍କ ପ୍ରତିନିଧି ଓ ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ରାଜସ୍ବ,ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ବିଦ୍ୟୁତ୍, ପୂର୍ବ, ଅଗ୍ନିଶମ, ଆରକ୍ଷୀ ବାହିନୀ, ପଞ୍ଚାୟତ ଓ ଗ୍ରାମୀଣ ଜଳଯୋଗାଣ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ନଗର ଊନ୍ନୟନ ବିଭାଗର ବିଭାଗୀୟ ଅଧିକାରୀମାନେ ନିଜ ନିଜର ପ୍ରସ୍ତୁତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ବର୍ଷା ଦିନ ପୂର୍ବରୁ ନାଳ ନର୍ଦ୍ଦମାଗୁଡିକୁ ସଫା କରିବା ଓ ମରାମତି କରିବା, ଶୁଖିଲା ଖାଦ୍ୟ ମହଜୁଦ ରଖୁବା, ଯନ୍ତ୍ର ଚାଳିତ ବୋଟ ଗୁଡିକ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ ଗୁଡିକୁ କାର୍ଯ୍ୟକ୍ଷମ କରିବା, ନିୟମିତ ବୃଷ୍ଟିପାତ ମାପିବା, ଆଶ୍ରୟସ୍ଥଳଗୁଡିକରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା, ବିଦ୍ୟୁତ ଓ ଟେଲିଫୋନ ବିଭାଗ ସଜାଗ ରହିବା, ଆବଶ୍ୟକ ଜରୁରୀକାଳିନ ସମସ୍ତ ଔଷଧ ଯଥା- ସାପ କାମୁଡା ନିରାକରଣ ଔଷଧ, ଓ ଆର ଏସ୍, ବ୍ଜିଟିଂ ପାଊଡର, କ୍ଲୋରିନ୍ ବଟିକା ଇତ୍ୟାଦି ମହଜୁଦ ରଖିବା, ପଶୁ ସମ୍ପଦର ସୁରକ୍ଷା,ପାନୀୟ ଜଳ ଯୋଗାଣ ,ପଲିଥିନ ମହଜୁଦ ରଖିବା ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧ୍ବକାରୀ ଡ.ଶିବାନନ୍ଦ ମହାନ୍ତି, ଜିଲ୍ଲା ଆପାତକାଳିନ ଅଧୁକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ସମସ୍ତ ଉପଜିଲ୍ଲାପାଳ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର, ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।




