ଦଶ ଗୋଟି ଟ୍ରେଡ ୟୂନିୟନ ତରଫରୁ ଆଜି ଭାରତ ବନ୍ଦ , ଦେଶ ବ୍ୟାପି ୨୫ କୋଟି ରୁ ଅଧିକ ଶ୍ରମିକ ବନ୍ଦରେ ସାମିଲ

ଅନୁଗୋଳ : କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଗୁଡିକ ଦେଇଥିବା ବନ୍ଦ୍ ଡାକରା ର ପରିଣାମ ଅନୁଗୋଳ ଜିଲ୍ଲାରେ ମଧ୍ୟ ଦେଖା ଦେଇଛି । ଅନୁଗୋଳ ଜିଲ୍ଲା ରେ ଗଢି ଉଠିଥିବା କାରଖାନା ଗୁଡ଼ିକରେ ବିଭିନ୍ନ ୟୁନିୟନ୍ ତରଫରୁ ଆଜି ଧର୍ମଘଟ କରାଯିବା ସହିତ ନାଲକୋ ଭଳି ନବରତ୍ନ କାରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବି.ଏମ.ଏସ ସହିତ ଅନୁବନ୍ଧିତ ଥିବା ସଂଗଠନ କୁ ବାଦ ଦେଲେ ଅନ୍ୟ ସମସ୍ତ ସଂଗଠନ ଏଥିରେ ସାମିଲ ହୋଇଛନ୍ତି । ବ୍ୟାଙ୍କ, ବୀମା,ଡାକସେବା, କୋଇଲା ଖଣି ଓ ନିର୍ମାଣ କ୍ଷେତ୍ରର ୨୫ କୋଟିରୁ ଅଧିକ ଶ୍ରମିକ ଆଜି ଦେଶବ୍ୟାପୀ ଧର୍ମଘଟ ତଥା ‘ଭାରତ ବନ୍ଦ’ରେ ସାମିଲ ହୋଇଛନ୍ତି । ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଓ ସେମାନଙ୍କ ସହଯୋଗୀଙ୍କୁ ନେଇ ଗଠିତ ଏକ ମଞ୍ଚ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ୍ କଂଗ୍ରେସର ଅମରଜିତ କୌର କହିଛନ୍ତି । ସମଗ୍ର ଦେଶରେ କୃଷକ ଓ ଗ୍ରାମୀଣ ଶ୍ରମିକମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେବେ । ହିନ୍ଦ ମଜଦୁର ସଭାର ହରଭଜନ ସିଂହ ସିଦ୍ଧ କହିଛନ୍ତି, ଧର୍ମଘଟ ଯୋଗୁଁ ବ୍ୟାଙ୍କ, ଡାକ, କୋଇଲା ଖଣି, କାରଖାନା ଓ ରାଜ୍ୟ ପରିବହନ ସେବା ପ୍ରଭାବିତ ହୋଇଥିବା ବେଳେ ଏହି ୧୦ ଟି ସଂଗଠନ ପକ୍ଷରୁ ପୂର୍ବରୁ କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ୧୭ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ଠୋସ୍ ଜବାବ ମିଳି ନ ଥିଲା। ସରକାର ଗତ ଏକ ଦଶନ୍ଧି ଧରି ବାର୍ଷିକ ଶ୍ରମ ସମ୍ମିଳନୀ ଆୟୋଜନ କରିନାହାନ୍ତି ଏବଂ ଏହା ବଦଳରେ ୪ଟି ଶ୍ରମ କୋଡ୍ ପ୍ରଣୟନ କରୁଛନ୍ତି । ଯାହା ସଂଘର କାର୍ଯ୍ୟକଳାପକୁ ଦୁର୍ବଳ କରିବ ଏବଂ ‘ଇଜ୍ ଅପ୍ ଡୁଇଂ ବିଜ୍ନେସ୍’ ନାମରେ ନିଯୁକ୍ତିଦାତାଙ୍କୁ ଫାଇଦା ଦେବ ବୋଲି ଅଭିଯୋଗ ହୋଇଛି। ସରକାରଙ୍କ ଅର୍ଥନୈତିକ ନୀତି ବେରୋଜଗାରୀକୁ ଗଭୀର କରୁଛି, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରୁଛି ଏବଂ ଶିକ୍ଷା, ସ୍ବାସ୍ଥ୍ୟ ଓ ନାଗରିକ ସୁବିଧା ଉପରେ ଖର୍ଚ୍ଚ ହ୍ରାସ କରୁଛି ଯାହା ଦ୍ବାରା ଅସମାନତା ବୃଦ୍ଧି ପାଉଛି ଏବଂ ଗରିବ, ନିମ୍ନ ଆୟବର୍ଗ ଓ ମଧ୍ୟବିତ୍ତଙ୍କ ଉପରେ ବୋଝ ପଡୁଛି ବୋଲି ଶ୍ରମିକ ନେତାମାନେ ଅଭିଯୋଗ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ, ଆଉଟ୍କ୍ସୋସିଂ, ଚୁକ୍ତିଭିତ୍ତିକ ନିଯୁକ୍ତି ଏବଂ କର୍ମଚାରୀଙ୍କୁ ଅନିଶ୍ଚିତ ଅସ୍ଥାୟୀ ପ୍ରକ୍ରିୟାରେ ରହିବା ଲାଗି ବାଧ୍ୟ କରାଯିବାକୁ ସଂଘ ବିରୋଧ କରୁଛି। ବେକାରୀ ସମସ୍ୟାର ସମାଧାନ, ମଞ୍ଜୁରିପ୍ରାପ୍ତ ପଦବିରେ ନିଯୁକ୍ତି, ଅଧିକ ନିଯୁକ୍ତି ସୃଷ୍ଟି, ମନରେଗା ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ସହରାଞ୍ଚଳ ପାଇଁ ସମାନ ଆଇନ ପ୍ରଣୟନ କରିବାକୁ ସେମାନେ ଦାବି କରିଛନ୍ତି | ଅନୁଗୋଳ ରୁ ସୁଧାକର ସାହୁ



