ବିଦ୍ୟୁତ୍ ବିଭାଗର ଅପାରଗତା ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫୋରମର
ତାଳଚେର, ୦୯/୦୭ ତାଳଚେର ପୌରପରିଷଦ ଅନ୍ତର୍ଗତ ୧୨ନମ୍ବର ୱାର୍ଡ଼ ରେମୁଁଆ ଗ୍ରାମର ମଝାମଝି ମୁଖ୍ୟରାସ୍ତା କଡ଼଼ରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ୨ଟି ଟ୍ରାନ୍ସଫୋରମର ଲଗାଯାଇଛି । କିନ୍ତୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ଟ୍ରାନ୍ସଫୋରମର ଗୁଡ଼ିକର ଯତ୍ନ ନିଆଯାଉନଥିବାରୁ ଚାରିପାଖରେ ଅନାବନା ଗଛ ଉଠିବା ସହିତ ତରୁଲତା ବିଦ୍ୟୁତ୍ ଟ୍ରାନ୍ସଫୋରମର ଚର୍ତୁପାଶ୍ୱର୍ରେ ମାଡ଼ିଥିବା ଦୃଶ୍ୟ ପରିଲକ୍ଷିତ ହେଉଛି । ଏହି ଟ୍ରାନ୍ସଫୋରମର ଗୁଡ଼ିକରୁ ରେମୁଁଆ ଗ୍ରାମ ସମେତ ହାଟତୋଟା ଅଂଚଳର ବିଭିନ୍ନ ସ୍ଥାନକୁ ତାର ସଂଯୋଗ କରାଯାଇଛି । ଲୋକଙ୍କୁ ସଠିକ୍ ଭାବେ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଲଗାଯାଇଥିଲେ ହେଁ ଏଗୁଡ଼ିକର ରକ୍ଷଣାବେକ୍ଷଣା ଅଭାବରୁ ଉଭୟ ପାଶ୍ୱର୍ରେ ସାମ୍ନାସାମ୍ନି ୨ଟି ଟ୍ରାନ୍ସଫୋର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ବିଶେଷ କଥା ହେଉଛି ଏହି ଟ୍ରାନ୍ସଫୋର୍ମର ୨ଟି ଖୋଲାମେଲା ଅବସ୍ଥାରେ ଏବଂ ସେ ପୁଣି ଆମନା ସାମନାରେ ରହିଥିବା ବେଳେ ଏହାର ଚର୍ତୁପାଶ୍ୱର୍ରେ ସିମେଂଟ୍ରେ ୫ରୁ ୬ଫୁଟ୍ ଉଚ୍ଚତାରେ ପାଚେରୀ ଦିଆଯିବା କଥା, କିନ୍ତୁ ଦିଆଯାଇ ନାହିଁ । ଏହି ଦୁଇଟି ଟ୍ରାନ୍ସଫୋରମର ରେମୁଁଆ ଗ୍ରାମର ମୁଖ୍ୟରାସ୍ତା କଡ଼କୁ ଲାଗି ରହିଥିବା ବେଳେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ସ୍କୁଲ, ଟିୟୁସନ୍, କଲେଜ ଛାତ୍ରଛାତ୍ରୀ ମାନେ ଯିବାଆସିବା କରୁଛନ୍ତି ଓ ସ୍ଥାନୀୟ ବାସୀନ୍ଦାମାନେ ବିଭିନ୍ନ କାର୍ଯ୍ୟାଳୟ, ସରକାରୀ ଦପ୍ତରକୁ ଯାତାୟତ କରୁଛନ୍ତି । ଗୋରୁଗାଈ ଓ ପଶୁପକ୍ଷୀ ମାନେ ଟ୍ରାନ୍ସଫୋରମର ୨ଟିର ନିକଟରେ ଚରାବୁଲା କରୁଥିବା ମଧ୍ୟ ଦେଖାଯାଇଛି । କିପରି ବିଦ୍ୟୁତ୍ ବିଭାଗ ଏଗୁଡ଼ିକୁ ଖୋଲାମେଲା କରି ନିଶ୍ଚିତରେ ବସିଯାଇଛି ତାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଜନଗହଳିପୂର୍ଣ୍ଣ ବସ୍ତି, ମାର୍କେଟ ଓ ସରକାରୀ କାର୍ଯ୍ୟାଳୟ ନିକଟରେ ରହିଥିବାରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହାର ଚର୍ତୁପାର୍ଶ୍ୱରେ ପାଚେରୀ ନିର୍ମାଣ କରିବା ସହ ରକ୍ଷଣାବେକ୍ଷଣ ନିତ୍ୟାନ୍ତ ଆବଶ୍ୟକ ବୋଲି ସାଧାରଣ ଲୋକ ମତପୋଷଣ କରୁିଛନ୍ତି । ନଚେତ୍ କେତେ ବେଳେ ଯେ, କ’ଣ ଘଟିବ ତାହା କହିବା ସମ୍ଭବପର ନୁହେଁ ।



