ଦବୁନାରେ ହେବ ଜିଲ୍ଲା ସ୍ତରୀୟ ନନ୍ଦ ଉତ୍ସବ କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘର ପ୍ରସ୍ତୁତି ବୈଠକ
ଯୋଡା,୨୩।୭ : ଭକ୍ତି ଭାବନା ମାଧ୍ୟମରେ ସାମାଜିକ ସଂସ୍କାର ବୃଦ୍ଧି ଲକ୍ଷ୍ୟରେ କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘ,କେନ୍ଦୁଝର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମରେ ଚଳିତ ବର୍ଷ ଯୋଡ଼ା ବ୍ଲକ,ଦବୁନା ଗ୍ରାମରେ ଜିଲ୍ଲା ସ୍ତରୀୟ ନନ୍ଦଉତ୍ସବ ଓ ଶ୍ରୀକୃଷ୍ଣ କଥାମୃତ କାର୍ଯକ୍ରମ ସ୍ଥିର ହୋଇଛି। ମଙ୍ଗଳବାର ଦବୁନା ଗାଁ ମଣ୍ଡପରେ ଏ ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। କୃଷ୍ଣ ଲୀଳା ଲୋକନୃତ୍ୟ ସଙ୍ଘର ସମ୍ପାଦକ ନିର୍ମଳ ଚନ୍ଦ୍ର ବାରିକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୈଠକରେ ସଂଘର କାର୍ଯ୍ୟକାରିଣୀ କମିଟି ସହିତ ଗ୍ରାମବାସୀ ଉପସ୍ଥିତରେ କାର୍ଯ୍ୟକ୍ରମର ରୂପରେଖ ଚୂଡାନ୍ତ କରାଯାଇଛି।ସୂଚନା ମୁତାବକ, ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରେ ନନ୍ଦଉତ୍ସବ ପାଳନ ନିମନ୍ତେ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏହି ଅବସରରେ ଝୁମ୍ପୁରା ବ୍ଲକ, କଟୁପାଲି ଗ୍ରାମରୁ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା ପୂର୍ବକ ରାସ ସଂକୀର୍ତ୍ତନ ଶୋଭାଯାତ୍ରାରେ ଦବୁନା ରାସ ମଣ୍ଡପକୁ ନିଆଯିବ। ସେଠାରେ ଯଥାରୀତି ପୂଜାର୍ଚ୍ଚନା ପୂର୍ବକ ନନ୍ଦୋତ୍ସବ ନୀତି ଅନୁଷ୍ଠିତ ହେବ। ଏହାପରେ ଶ୍ରୀକୃଷ୍ଣ କଥାମୃତ ସଭା ଆୟୋଜନ କରାଯିବ ଏବଂ କୃଷ୍ଣ ଲୀଳା କଳାକାର ମାନଙ୍କୁ ମାନ ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଦବୁନା ସମେତ କଟୁପାଲି ରେଙ୍ଗାଳବେଡା,ନମ୍ବିରା,ପଳସା ଆଦି କୃଷ୍ଣଲୀଳା ଲୋକନୃତ୍ୟ ଦଳ ରାସ ସଙ୍କୀର୍ତ୍ତନ ନୃତ୍ୟ ପରିବେଷଣ କରିବେ ବୋଲି କୃଷ୍ଣଲୀଳା ଲୋକ ନୃତ୍ୟ ସଙ୍ଘର ସମ୍ପାଦକ ନିର୍ମଳ ଚନ୍ଦ୍ର ବାରିକ ପ୍ରକାଶ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଲୀଳା ଲୋକନୃତ୍ୟ ସଂଘର ଉପଦେଷ୍ଟା ହିରଣ୍ୟ ବେହେରା,ଅଖିଳ ଚନ୍ଦ୍ର ବାରିକ, ଶଙ୍କର୍ଷଣ ବେହେରା,ଘସ୍ରନାଥ ବେହେରା,କାର୍ଯ୍ୟକାରୀ କମିଟି ସଦସ୍ୟ ବିଶ୍ବମ୍ବର ବେହେରା,ସନ୍ତୋଷ କୁମାର ବାରିକ,ପରମେଶ୍ବର ମହାକୁଡ,ଦିଲ୍ଲୀପ କୁମାର ବାରିକ ପ୍ରମୁଖଙ୍କ ସହିତ ଦବୁନା ଗ୍ରାମର ଜଗବନ୍ଧୁ ବାରିକ, ଗୁରୁଚରଣ ବାରିକ, କୃଷ୍ଣ ଚନ୍ଦ୍ର ମହାକୁଡ,ତ୍ରିନାଥ ବାରିକ,ଚନ୍ଦ୍ର ମୋହନ ପଲେଇ, ଯୁଗଳ କିଶୋର ବାରିକ, ମନୁ ପଲେଇ,ବିଭୂତି ବାରିକ,ଅଶୋକ ବାରିକ,ଉଗ୍ରସେନ ଆପଟ୍ଟ, ଅନୁ ବାରିକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ମତ ରଖିଥିଲେ।



