ନୀଳକଣ୍ଠେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ
ତାଳଚେର, ୨୪/୦୭ ତାଳଚେର ସାଉଥବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଦିଗାମ୍ବର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସେ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇବା ସହ ମହାବିଦ୍ୟାଳୟର ଗୌରବମୟ ଐତିହ୍ୟ ସହ ପରିଚୟ କରାଇଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ସୁପ୍ରୀତି ପ୍ରଧାନ ବିଦ୍ୟାଳୟର ଅନୁଶାସନ, ବ୍ୟବସ୍ଥା ଓ ସରକାରଙ୍କ ପ୍ରଦତ ସୁବିଧା ସୁଯୋଗ ସଂପର୍କରେ ନବାଗତ ଛାତ୍ରଛାତ୍ରୀ ତଥା ଉପସ୍ଥିତ ଅଭିଭାବକମାନଙ୍କୁ ସୂଚନା ଦେଇଥିଲେ । ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ, ସବ୍ୟସାଚୀ ଧଳ, ହରିହର ପଧାନ, ବିନୟ କୁମାର ବେହେରା, ମନୋଜ କୁମାର ସାହୁ, ସୌଭାଗ୍ୟ ଚନ୍ଦ୍ର ସାହୁଙ୍କ ସମେତ ଅଧ୍ୟାପିକା କାଜଲ ପ୍ରଧାନ, ସଂଙ୍ଗୀତା ସାହୁ, ମିନତି ମୁଦୁଲି, ସୁଦୀପ୍ତା ଜେନା ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇବା ସହ ନବାଗତ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ସୁରକ୍ଷା ନେଇ ଅନୁଷ୍ଠାନର ଗଠନ କରାଯାଇଥିବା କମିଟି ଓ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମକୁ ତ୍ରିନାଥ ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶ୍ରୀ ହରିହର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରବୀଣ ସେଠ,ସମୀର ସେନ ଦାସ, କାଳିଆ ସାହୁ ଏବଂ ହେମନ୍ତ କୁମାର ସିଂହ ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବରେ ଶତାଧିକ ନବାଗତ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ ।



