ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ମାମଲା । ଟ୍ରିବ୍ୟୁନାଲରେ ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଲା ଶୁଣାଣି । ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକସ୍ତରରେ ଆଲୋଚନା ଆଗକୁ ବଢ଼ିଛି । ସମାଧାନ ପାଇଁ ଉଭୟ ପକ୍ଷ ରାଜିଥିବା AG ପୀତାମ୍ବର ଆଚାର୍ଯ୍ୟ ଅବଗତ କଲେ ।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ପୂର୍ବରୁ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀସ୍ତରୀୟ ଅନୌପଚାରିକ ଆଲୋଚନା ହୋଇସାରିଛି।
ଉଭୟ ରାଜ୍ୟର ସଚିବ ଏବଂ ରାଜନୈତିକସ୍ତରରେ ଆଲୋଚନା କରି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲକୁ ଗତ ଶୁଣାଣିରେ ଅବଗତ କରିଥିଲେ। ଉଭୟ ପକ୍ଷ ଅଗଷ୍ଟ ମାସ ମଧ୍ୟରେ ବିବାଦର ସମାଧାନର ଅଗ୍ରଗତି ବିଷୟରେ ଟ୍ରିବ୍ୟୁନାଲକୁ ଜଣାଇବା ପରେ ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାଣି କରିବେ ବୋଲି ଧାର୍ଯ୍ୟ ହୋଇଥିଲା। ଏହି କ୍ରମରେ ଆଜି ଶୁଣାଣି କରିବେ ଟ୍ରିବ୍ୟୁନାଲ।ଅନ୍ୟପଟେ ମହାନଦୀ ଜଳ ବିବାଦର ସମାଧାନ ଲାଗି ଗତକାଲି ଡକାଯାଇଥିଲା ସର୍ବଦଳୀୟ ବୈଠକ। ଭୁବନେଶ୍ବରରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଯୋଗ ଦେଇଥିଲେ। ଏଥିସହ ବିଭିନ୍ନ ସାମାଜିକ ସଂଗଠନ ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ଆଲୋଚନା ସଭାରେ ୫ଟି ପ୍ରସ୍ତାବ ପରିତ ହୋଇଛି। ମହାନଦୀ ଜଳ ବିବାଦ ସମାଧାନ ପାଇଁ ରାଷ୍ଟ୍ରପତିଙ୍କୁ ଭେଟି ଦାବି ପତ୍ର ଦିଆଯିବ। ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ମଧ୍ୟସ୍ଥିରେ ଉଭୟ ରାଜ୍ୟର ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦିଆଯିବ। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବ ବୋଲି ବୈଠକରେ ପ୍ରସ୍ତାବ ପାରିତ ହୋଇଛି।



