ବିହାର ଭୋଟର ତାଲିକା ସଂଶୋଧନ ପ୍ରକିୟାକୁ ନେଇ ଆଜି ବଡ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏକ ଆବେଦନ ଉପରେ ଶୁଣାଣୀ କରି ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା ସହ କୋର୍ଟ କହିଛନ୍ତି ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ବିସ୍ତୃତ ସଂଶୋଧନ-ଏସଆଇଆର ପ୍ରକ୍ରିୟାରେ ଆଧାର କାର୍ଡକୁ ବାସିନ୍ଦା ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇପାରିବ ନାହିଁ ।
ଏହି ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ ସହ ସୁପ୍ରିମକୋର୍ଟ ଏକମତ ହୋଇଛନ୍ତି ।ମଙ୍ଗଳବାର ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ SIR କରାଇବା ସମ୍ପର୍କିତ ବିବାଦର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ଏହି ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଆଧାରକୁ ଚୂଡ଼ାନ୍ତ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ, ଏହାର ଯାଞ୍ଚ ଜରୁରୀ।ମାମଲାର ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ 1950 ପରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତି ଭାରତର ନାଗରିକ କିନ୍ତୁ ଏଠାରେ ପ୍ରକ୍ରିୟାରେ ଏକ ବଡ଼ ଗଡ଼ବଡ଼ ଅଛି। ଉଦାହରଣ ଦେଇ ସେ କହିଛନ୍ତି ଯେ ଏକ ଛୋଟ ବିଧାନସଭା କ୍ଷେତ୍ରରେ 12 ଜଣଙ୍କୁ ମୃତ ଦର୍ଶାଯାଇଥିଲା, ଯେତେବେଳେ ସେମାନେ ଜୀବିତ ଅଛନ୍ତି। BLO କୌଣସି କାମ କରିନଥିଲା। ବରିଷ୍ଠ ଓକିଲ ଗୋପାଳ ଏସ. କୋର୍ଟକୁ କହିଥିଲେ ଯେ 65 ଲକ୍ଷ ନାମ ବାଦ ଦିଆଯାଇଛି। ସେହି ସମୟରେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ରାକେଶ ଦ୍ୱିବେଦୀ କହିଥିଲେ ଯେ ଏହା କେବଳ ଏକ ଡ୍ରାଫ୍ଟ ରୋଲ୍। ଏତେ ବଡ଼ କାର୍ଯ୍ୟରେ ଛୋଟ ଛୋଟ ଭୁଲ ହୋଇପାରେ, କିନ୍ତୁ ମୃତକମାନେ ଜୀବିତ ଅଛନ୍ତି ବୋଲି କହିବା ଠିକ୍ ନୁହେଁ।



