ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ପାଳିତ

ଅନୁଗୋଳ ୧୬/୦୮ :- ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଗୋଳ ପୋଲିସ ଟ୍ରେନିଂ କଲେଜ୍ ପଡ଼ିଆରେ ଆୟୋଜିତ ଉତ୍ସବରେ ଓଡିଶାର ମାନ୍ୟବର ସମବାୟ, ହସ୍ତତନ୍ତ, ଓ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ଦ୍ଧାରିତ ସମୟ ସକାଳ (୯ ଘଟିକା ୧୫ ମିନିଟ୍ରେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଅନୁଗୋଳ ଜନସାଧାରଣଙ୍କୁ ସ୍ବାଧୀନତା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ଯେଉଁ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅସୀମ ତ୍ୟାଗ, ସଂଗ୍ରାମ ଓ ଆତ୍ମ-ବଳିଦାନ ପାଇଁ ସ୍ବାଧୂନତାର ସୂର୍ଯ୍ୟୋଦୟ ହୋଇଥିଲା, ଯେଉଁମାନଙ୍କ ପାଇଁ ଆଜି ଆମେ ନିଜ ନାଆର ନିଜେ ନାଉରୀ’ ସାଜିଛେ, ସେଇ ବୀର ସଂଗ୍ରାମୀମାନଙ୍କୁ ମୁଖ୍ୟ ଅତିଥି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରାଧୀନତାର ବେଡି ବନ୍ଧନରୁ ଭାରତମାତାକୁ ମୁକ୍ତ କରିବା ପାଇଁ ଜାତିର ପିତା ମାହାତ୍ମାଗାନ୍ଧୀଙ୍କ ଡାକରାରେ ଅଗଣିତ ଜନତା ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ମାତ୍ର ଏହାର ବହୁ ବର୍ଷ ପୂର୍ବରୁ ଓଡିଶାରେ ଆରମ୍ଭ ହୋଇଥିଲା, ଇଂରେଜ ବିରୋଧରେ ସଂଗ୍ରାମ ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଅନୁଗୋଳ ଜିଲ୍ଲାର ବଳିଷ୍ଠ ଭୂମିକା ଇତିହାସ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ । ଅନୁଗୋଳର ପବିତ୍ର ମାଟି ସଂଗ୍ରାମର ମାଟି । ଆତ୍ମ ବଳିଦାନର ମାଟି ଅନୁଗୋଳର ବହୁ ସତ୍ୟାଗ୍ରହୀ ଇଞ୍ଚୁଡିର ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ସ୍ବାଧୀନତା ସଂଗ୍ରାମକୁ ଶାଣିତ କରିଥିଲେ । ବେଠି, ବେଗାରିକୁ ବେଖାତିର କରି ୧୮୯୧ ମସିହାରେ ପ୍ରଣୟନ କରାଯାଇଥିବା କଳଙ୍କିତ ଅନୁଗୋଳ ରେଗୁଲେଟୋରୀ ଆକ୍ଟକୁ ଗିରିଜା ଭୂଷଣ ଦତ୍ତ, ହୃଷିକେଶ ତ୍ରିପାଠୀ, ରତ୍ନାକର ନାୟକ, ଆନନ୍ଦ ଚନ୍ଦ୍ର ପ୍ରଧାନ, ଡାକ୍ତର କୃପାସିନ୍ଧୁ ଭୋଇ ପ୍ରମୁଖ ସଂଗ୍ରାମୀମାନଙ୍କ ନେତୃତ୍ବରେ ବିରୋଧ କରାଯାଇଥିଲା । ସୁରେନ୍ଦ୍ରନାଥ ଦ୍ବିବେଦୀ, ଯଦୁମଣି ମଙ୍ଗରାଜଙ୍କ ନେତୃତ୍ବରେ ସଂଗ୍ରାମୀ ରତ୍ନାକର ନାୟକ, ରସାନନ୍ଦ ବେହେରା, ହୃଷିକେଶ ତ୍ରିପାଠୀ, ହୃଷିକେଶ ପ୍ରଧାନ ପ୍ରମୁଖ ସତ୍ୟାଗ୍ରହୀ କାରାବରଣ କରିଥିଲେ । ୧୯୩୪ ମସିହାରେ ମହାତ୍ମାଗାନ୍ଧୀଙ୍କର ଅନୁଗୋଳରେ ପଦଯାତ୍ରା ଏ ମାଟିକୁ ଧନ୍ଯ କରିଛି । ବିଶିଷ୍ଟ ଜନନାୟକ ପବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ବରେ ସଂଗଠିତ ପ୍ରଜାମଣ୍ଡଳ ଅନ୍ଦୋଳନ, ଗଡଜାତ ମିଶ୍ରଣରେ ଅନୁଗୋଳବାସୀଙ୍କ ସକ୍ରିୟ ସହଯୋଗ ଇତିହାସରେ ଲିପିବଦ୍ଧ ହୋଇରହିବ । ସର୍ବୋଦୟ ନେତା, ତ୍ୟାଗ ଓ ସେବାର ମୂର୍ତିମନ୍ତ ପ୍ରତୀକ, ରାଜନୀତିର ସନ୍ଥ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ଅନୁଗୋଳକୁ ନିଜର କର୍ମଭୂମୀ ଭାବେ ଆଦରି ନେଇ ଏ ମାଟିକୁ ଧନ୍ୟ କରିଛନ୍ତି । ତାଙ୍କ ଦ୍ବାରା ପ୍ରତିଷ୍ଠିତ ବାଜିରାଉତ ଛାତ୍ରାବାସ ମଣିଷ ପରି ମଣିଷ ଗଢିବାର ପ୍ରୟୋଗଶାଳା ସାଜିଛି ବୋଲି ମୁଖ୍ୟ ଅତିଥି କହିଥିଲେ । ଅନୁଗୋଳ ରାଜା ସୋମନାଥ ସିଂହ ଜଗଦେବଙ୍କ ଏହି ମାଟି ପ୍ରତି ଅବଦାନ ଅବିସ୍ମରଣୀୟ । ଏହି ମହାମନୀଷୀଙ୍କ ପ୍ରତିମୂର୍ତ୍ତିରେ ମୂଖ୍ୟ ଅତିଥି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । କବି ରାଧାମୋହନ ଗଡନାୟକଙ୍କ ସାହିତ୍ୟକୃତି ଏହି ମାଟିକୁ ଧନ୍ୟ କରିଛି । କୃଷି ପ୍ରଧାନ ଅନୁଗୋଳ ଜିଲ୍ଲା ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ସୁଖ୍ୟାତି ଅର୍ଜନ କରିଛି । ରାଜ୍ୟର ସର୍ବବୃହତ କୋଇଲା ଖଣି, ନାଲ୍କୋ, ଏନ୍ ଟି ପି ସି ଆଦି ଶିଳ୍ପ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟ ତଥା ଦେଶର ଅର୍ଥନୀତିକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ । ପ୍ରକୃତିର ଅପରୁପ ସୌନ୍ଦର୍ଯ୍ୟ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଅନୁଗୋଳ ଜିଲ୍ଲା ସାହିତ୍ୟ, ସଂସ୍କୃତି ସହିତ ଜୈବ ବିବିଧତା ଦୃଷ୍ଟିରୁ ଭାରତର ପ୍ରାକୃତିକ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଶୈଳଶ୍ରୀ କ୍ଷେତ୍ର, ମା ବୁଢି ଠାକୁରାଣୀ, ସାତକୋଶିଆ ଅଭୟାରଣ୍ୟ, ମା ହିଙ୍ଗୁଳା ପୀଠ, ଦେଉଳଝରି, ମାହେଶ୍ବରୀ ମନ୍ଦିର, ମା ଲୋଭୀ ଠାକୁରାଣୀ ପୀଠ, ଗାନ୍ଧୀ ସ୍ମୃତି ପୀଠ ଆଦି ପର୍ଯ୍ୟଟନ ସ୍ଥଳୀ ଅନୁଗୋଳ ଜିଲ୍ଲାର ସୁଖ୍ୟାତିକୁ ବହୁଗୁଣିତ କରିଛି ବୋଲି ମୁଖ୍ୟ ଅତିଥି କହିଥିଲେ। । ବିକଶିତ ଓଡିଶା ଏବଂ ବିକଶିତ ଭାରତ ଆମର ସ୍ବପ୍ନ ଆଉ ସଙ୍କଳ୍ପ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝିଙ୍କ ନେତୃତ୍ବରେ ରାଜ୍ୟର ଶାସନଭାର ଆସିବା ପରେ ଆରମ୍ଭ ହୋଇଛି ବିକାଶର ନୂଆ ଯାତ୍ରା । ବହୁଜନ ହିତାୟ ବହୁଜନ ସୁଖାୟ’ ମନ୍ତ୍ରରେ ଲୋକଙ୍କ ସରକାର ଅଭିମନ୍ତ୍ରିତ । ଏଇ ମନ୍ତ୍ରରେ ବିଶ୍ୱାସ ରଖି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଏବଂ ଗତିଶୀଳ ନେତୃତ୍ବର ମୂଳମନ୍ତ୍ର “ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ବାସ ଏବଂ ସବ୍କା ପ୍ରୟାସ”ରେ ବିଶ୍ବାସ ରଖି ରାଜ୍ୟ ସରକାର ଏକ ସମତା ସମ୍ପନ୍ନ ସମାଜଗଠନ ପାଇଁ ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟ ଅତିଥି କହିଥିଲେ । ସମାଜର ସବୁଠାରୁ ଅବହେଳିତ ଓ ଦୁର୍ବଳତମ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଓଠରେ ହସ ଖେଳାଇବା ଆରମ୍ଭ କରିଛି ଲୋକଙ୍କ ସରକାର । ଜନ ଶୁଣାଣିକୁ ସରକାର ପ୍ରାଥମିକତା ଦେଇଛନ୍ତି । ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ମହିଳା ଉପକୃତ ହୋଇପାରିଛନ୍ତି ବୋଲି ମୁଖ୍ୟ ଅତିଥି କହିଥିଲେ । ଏହି ଦିବସରେ ପରେଡ ମାର୍ଚ୍ଚ ଫାଷ୍ଟରେ ସମୁଦାୟ ୩୪ ଗୋଟି ଦଳଙ୍କ ଠାରୁ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ । ପୋଲିସ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଗୋବିନ୍ଦ ମାହାରୀ ପରେଡ ପରିଚାଳନା କରିଥିଲେ। ଜାତୀୟ ପତାକା ଉତ୍ତୋଳନ ସମୟରେ ଜିଲ୍ଲା ପୋଲିସ ବ୍ୟାଣ୍ଡ୍ ପାର୍ଟି ଦ୍ବାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୪ ୪ ଜଣ କୃତୀ ପ୍ରତିଯୋଗୀ, ଗତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ସ.ବି.ଏସ.ଇ ଓ ଆଇ.ସି.ଏସ୍.ଇ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖୁଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।ଏହି ଅବସରରେ ବାଳିକା ଉଚ୍ଚ ବିଦ୍ୟାଳୟର ଶ୍ରୀମତୀ ସରିତା ପ୍ରଧାନଙ୍କୁ ଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବେ, ଟାଇଁସି ସବ୍ ସେଣ୍ଟରର ଶ୍ରୀ ପ୍ରିୟରଞନ ଦେହୁରୀଙ୍କୁ ଶ୍ରେଷ୍ଠ ସ୍ବାସ୍ଥ୍ୟ କର୍ମଚାରୀ ଓ ଅନୁଗୋଳ ପୌରପାଳିକାର ଶ୍ରୀ ଶଙ୍କର ଗୋଛାୟତଙ୍କୁ ଶ୍ରେଷ୍ଠ ସଫେଇ କର୍ମଚାରୀ ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ପରେଡରେ କୃତିତ୍ୱ ହାସଲ କରିଥିବା ୬ଗୋଟି ଦଳକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରେ ପରେ ମୁଖ୍ୟ ଅତିଥି ପିଟିସି ପଡିଆରେ “ ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ କରିଥିଲେ । ଏହାପରେ ସ୍ବାସ୍ଥ୍ୟ ବିଭାଗ ଓ ବିଭିନ୍ନ ସ୍ବେଛାସେବୀଙ୍କ ଦ୍ବାରା ଆୟୋଜିତ ସ୍ୱେଛାକୃତ ରକ୍ତଦାନ ଶିବିରରେ ଯୋଗ ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ଏବଂ ସେମାନଂକ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଅନୁଗୋଳ ଜେଲ ପରିଦର୍ଶନରେ ଯାଇ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ରଦ୍ବାରା ରାମଧୂନ ବଜାଯାଇ ସହର ପରିକ୍ରମା କରାଯାଇଥିଲା । ଏହି ଅବସରରେ ଅପରାହ୍ନରେ କଦମ, ପଡିଆଠାରେ ଜିଲ୍ଲା ପୋଲିସ ଟିମ୍ ଓ ନାଲ୍କୋ ଟିମ୍ ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସ୍ବାଧୀନତା ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ଓ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ । ଏହାଛଡା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରିତିମୟ, ଆଇ ଏ ଏସ୍ ପ୍ରୋବେସନର କସ୍ତୁରୀ ସା, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ସମେତ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ,ବୁଦ୍ଧିଜିବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ସ୍ଥାନୀୟ ସଭାଘର ଠାରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।




