ଅବ୍ୟବସ୍ଥା ଭିତରେ ଚାଲିଛି ଓଗୀ ସ୍ଥିତ ପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ସହ ଶିକ୍ଷକ ଅଭାବରୁ ପାଠପଢ଼ା ବ୍ୟାଘାତ ଅନୁଗୋଳ :ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଓଗୀ ଗ୍ରାମରେ ଥିବା ‘ସରକାରୀ ଉଚ୍ଚ ବିଦ୍ୟାଳୟ ଓଗୀ’ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ସହ ଶିକ୍ଷକ ଅଭାବରୁ ପିଲାଙ୍କ ପାଠ ପଢାରେ ଅସୁବିଧା ହେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଓଗୀ ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ୧୮୮୫ ମସିହାର ଏକ ପୁରାତନ ବିଦ୍ୟାଳୟ ରହିଛି, ଯେଉଁଠି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଇଥାଏ । ସରକାରଙ୍କ ନୂଆ ନିୟମ ଅନୁସାରେ ଆଉ ଏକ ଶ୍ରେଣୀ ଶିଶୁ ବାଟିକା ନାମରେ ବିଦ୍ୟାଳୟରେ ଯୋଡ଼ି ହୋଇଛି । ଏହି ସର୍ବପୁରାତନ ବିଦ୍ୟାଳୟରେ ୩୫୦ ରୁ ଉର୍ଦ୍ଦ ପିଲା ପାଠ ପଢନ୍ତି । ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ୩୦ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ରହିବା ଦରକାର, ସେହି ଅନୁପାତରେ ଏହି ବିଦ୍ୟାଳୟ ପାଇଁ ୧୨ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ରେ ସମୁଦାୟ ନଅ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ସେଥି ମଧ୍ୟରୁ ଜଣେ କନିଷ୍ଠ କିରାଣୀ ରହିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଶିକ୍ଷକ ଅଭାବରୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିଲେ ମଧ୍ୟ ଆଉ ନୂତନ ଶିକ୍ଷକ ନିଯୁକ୍ତି କରିବା ବଦଳରେ କନିଷ୍ଠ କିରାଣୀ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଡେପୁଟେଶନ ରେ ଜିଲ୍ଲା କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ନେଇ ଯାଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ସ୍କୁଲ କୁ ଫେରାଇ ନାହାନ୍ତି । ଅନ୍ୟ ପକ୍ଷରେ ଅନ୍ୟ ଜଣେ ଶିକ୍ଷକ ଛୁଟିରେ ଥିବାରୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଶୀଘ୍ର ଶିକ୍ଷକ ନିଯୁକ୍ତି କରିବା ପାଇଁ ଅଭିଭାବକ ଏବଂ ଗ୍ରାମବାସୀ ଦାବି କରିଛନ୍ତି ।ଅନୁଗୋଳ ରୁ ସୁଧାକର ସାହୁ




