ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀଙ୍କୁ ଜଗନମୋହନ ରେଡ୍ଡୀ ପାର୍ଟିର ସମର୍ଥନ
ନୁଆଦିଲ୍ଲୀ, ୧୯/୦୮ : ଓ୍ଵାଇଏସଆର କଂଗ୍ରେସ ପାର୍ଟି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଜଗନମୋହନ ରେଡ୍ଡୀଙ୍କ ପାର୍ଟିର ଏହି ନିଷ୍ପତ୍ତି ଶାସକ ମେଣ୍ଟକୁ ଆହୁରି ଉତ୍ସାହିତ କରିଛି। ଓ୍ଵାଇଏସଆର କଂଗ୍ରେସ ସାଂସଦ ମଦିଲା ଗୁରୁମୂର୍ତ୍ତି କହିଛନ୍ତି ଯେ ତାଙ୍କ ଦଳ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି।
ପିଟିଆଇର ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୱାଇଏସଆର କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହ କଥା ହୋଇ ଶାସକ ମେଣ୍ଟର ପ୍ରାର୍ଥୀଙ୍କ ପାଇଁ ଆଞ୍ଚଳିକ ଦଳର ସମର୍ଥନ ଲୋଡ଼ିଛନ୍ତି। ୱାଇଏସଆର କଂଗ୍ରେସ ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟରେ ସାମିଲ ନାହିଂ । ୱାଇଏସଆର କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଏବଂ ଆନ୍ଧ୍ର ପ୍ରଦେଶର ଶାସକ ଦଳ- ଟିଡିପି ହେଉଛି ବିଜେପିର ଏକ ପ୍ରମୁଖ ସହଯୋଗୀ। ସଂସଦର ଉଭୟ ଗୃହରେ ଏନଡିଏର ବହୁମତ ରହିଛି। ତେଣୁ ରାଧାକୃଷ୍ଣନଙ୍କ ନିର୍ବାଚନ ଜିତିବା ପ୍ରାୟ ନିଶ୍ଚିତ ଲାଗୁଛି।ଏନଡିଏ ଲୋକସଭାରେ ୨୯୩ ସଦସ୍ୟ ଏବଂ ରାଜ୍ୟସଭାରେ ୧୩୨ ସଦସ୍ୟଙ୍କ ସମର୍ଥନ ପାଇଛି। ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ଅତି କମରେ ୪୨୫ ଭୋଟ ମିଳିବାର ଆଶା କରାଯାଉଛି। ଅନ୍ୟପଟେ ଜଗନମୋହନ ରେଡ୍ଡୀଙ୍କ ଦଳର ସମର୍ଥନ ମିଳିବାରୁ ଏନଡିଏ ପ୍ରାର୍ଥୀଙ୍କୁ ୪୩୫ରୁ ଅଧିକ ଭୋଟ ମିଳିବାର ଆଶା କରାଯାଉଛି।



