ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଫାଇଲେରିଆ ବିରୋଧରେ ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ
ମେରାମଣ୍ଡଳୀ, ୨୦/୦୮/୨୦୨୫: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ସହଯୋଗରେ ଲିମ୍ଫାଟିକ୍ ଫାଇଲେରିଆସିସ୍ ଦୂର କରିବା ପାଇଁ ଜିଲ୍ଲାବ୍ୟାପୀ ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏମଡିଏ) ଅଭିଯାନ ଶେଷ ହୋଇଯାଇଛି । ୨୦୨୫ ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଅଭିଯାନରେ ହିନ୍ଦୋଳ ଏବଂ କାମାକ୍ଷାନଗର ବ୍ଲକ୍ର ସ୍ଥାନୀୟ ଲୋକମାନେ ବ୍ୟାପକ ଭାବରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଆୟୋଜିତ ଏହି ଅଭିଯାନକୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହଯୋଗ କରିଥିଲା ।ଜିଲ୍ଲା ପରିଷଦ ହଲ୍ରେ ୨୦୨୫ ଅଗଷ୍ଟ ୧୦ରେ ଏହି ଅଭିଯାନ ଶୁଭାରମ୍ଭ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରତିଷେଧମୂଳକ ଔଷଧ ବିତରଣ ଦାୟିତ୍ଵ ନେଇଥିବା ବେଳେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଅଭିଯାନ ସମ୍ପର୍କିତ ସୂଚନା, ଶିକ୍ଷା ଏବଂ ସଂଚାର (ଆଇଇସି) ସମ୍ପର୍କରେ ତୃଣମୂଳସ୍ତରରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଫାଉଣ୍ଡେସନ ସଦସ୍ୟମାନେ ଫାଇଲେରିଆ ପ୍ରବଣ ଗ୍ରାମଗୁଡିକରେ ପହଞ୍ଚି ମାଇକରେ ପ୍ରଚାର କରିବା ସହ ପ୍ରଚାରପତ୍ର ବାଣ୍ଟିବା, ବ୍ୟାନର୍ ଲଗାଇଥିଲେ । ଗାଁ ଗାଁରେ ପାମ୍ପଲେଟ୍ ବିତରଣ କରଯାଇଥିଲା । ଲୋକମାନେ ସଚେତନ ହେବା ସହ ଫାଇଲେରିଆ ନିରାକରଣ ପାଇଁ ଔଷଧ ସେବନ କରିବାକୁ ଫାଉଣ୍ଡେସନ ସଦସ୍ୟମାନେ ପରାମର୍ଶ ଦେଇଥିଲେ ।ଜିଲ୍ଲା ଭେକ୍ଟର ବାହିତ ରୋଗ ଦଳର ଅଧିକାରୀମାନେ ଟିଏସ୍ଏଫ୍ର ଏହି ପ୍ରୟାସକୁ ପ୍ରଶଂସା କରି କହିଛନ୍ତି ଯେ, ଏହି ସଚେତନତା ଅଭିଯାନ ପ୍ରତିଷେଧମୂଳକ ଔଷଧ ଗ୍ରହଣ କରୁଥିବା ଲୋକମାନଙ୍କ ସଂଖ୍ୟା ବଢ଼ାଇବା ସହିତ ସରକାରୀ ସ୍ୱାସ୍ଥ୍ୟ ମିଶନକୁ ମଜଭୁତ କରିପାରିଛି ।ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ଜୋର ଦେଇ କହିଛନ୍ତି ଯେ, ଫାଇଲେରିଆସିସ୍ ଦୂର କରିବା ପାଇଁ ଚିକିତ୍ସା ବ୍ୟବସ୍ଥା ଏବଂ ଲୋକମାନଙ୍କ ସାମଗ୍ରିକ ସମ୍ପୃକ୍ତି ଆବଶ୍ୟକ ଏବଂ ଫାଇଲେରିଆ ମୁକ୍ତ ଜିଲ୍ଲା ଲକ୍ଷ୍ୟ ହାସଲ ଦିଗରେ ଢେଙ୍କାନାଳ ଜିଲ୍ଲାରେ “ ସରକାର ଏବଂ ଏନଜିଓ ସହଭାଗିତା ମଡେଲ୍” ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ।




