ଭୁବନେଶ୍ବର, ୨୪/୦୮ : ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ୯ ହଜାର ଏନଏଚଏମ୍ କର୍ମଚାରୀ ଉପକୃତ ହେବେ । ଏନେଇ ସରକାରଙ୍କ ପକ୍ଷରୁ ସବୁଜ ସଂକେତ ମିଳିଥିବା ଓଡିଶା ସ୍ବାସ୍ଥ୍ୟ ମିଶନ କର୍ମଚାରୀ ସଂଘ ସ୍ପଷ୍ଟ କରିଛି। ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘର ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଭେଟି ଆଲୋଚନା କରିଥିଲେ।
ଦୀର୍ଘ ୨୦ ବର୍ଷ ଧରି ସ୍ୱଳ୍ପ ଦରମାରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ସେମାନେ ଅବଗତ କରାଇଥିଲେ। ରାଜ୍ୟ ସରକାର ଏନଏଚଏମ କର୍ମଚାରୀଙ୍କ ସମସ୍ୟା ବିଷୟରେ ସମ୍ପୂର୍ଣ୍ଣ ଅବଗତ ଓ ଏହା ଉପରେ ବିଚାର ଚାଲିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଥିବା ସମସ୍ୟାକୁ ସରକାର ଗୁରୁତ୍ୱର ସହିତ ସମାଧାନ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ମାଝୀ କହିଥିଲେ। ଏହାପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସ୍ୱାସ୍ଥ୍ୟମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ବିଷୟରେ ଅବଗତ କରାଇଥିଲେ। ସେମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି ଓ ସରକାର ସମସ୍ତଙ୍କୁ ସ୍ଥାୟୀ କରିବା ବିଷୟରେ ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଦରମା ବୃଦ୍ଧି, ରାଜ୍ୟ ପ୍ରୋତ୍ସାହନ ରାଶି ବୃଦ୍ଧି, ସମସ୍ତଙ୍କୁ ବୀମାଭୁକ୍ତ କରିବା ଆଦି ସମସ୍ୟାର ସମାଧାନ କରାଯିବ ବୋଲି ସଭାପତି ଶ୍ରୀ ସାମଲ ସଂଘ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ଓଡିଶା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘର ସଭାପତି ଅନିରୁଦ୍ଧ ପଣ୍ଡା, ସାଧାରଣ ସମ୍ପାଦକ ଗୋପବନ୍ଧୁ କର, କୋଷାଧକ୍ଷ ଆଶୁତୋଷ ମିଶ୍ର, ସହ ସମ୍ପାଦକ ପ୍ରଦୀପ୍ତ ମଲ୍ଲ ଓ ଅନ୍ୟାନ୍ୟ ସଦସ୍ୟ ସାମିଲ ଥିଲେ।



