ଜୟ ଜଗନ୍ନାଥଦୁନିଆର ସବୁଠୁ ବଡ଼ ଆଶୀର୍ବାଦ ହେଉଛି ମା’ । ନିଜ ଜନ୍ମଦାତ୍ରୀ ମା’ ଭଳି ଧରିତ୍ରୀ ମଧ୍ୟ ଆମର ଆଉ ଏକ ମା’ । ନିଜ ମା’ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ, ଧରିତ୍ରୀ ମା’ର ସୁରକ୍ଷା ଲାଗି, ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ଏକ୍ ପେଡ୍ ମା’ କେ ନାମ୍’, ବା ‘ମା ପାଇଁ ଗଛଟିଏ’ ଅଭିଯାନ ଆରମ୍ଭ କରିଛନ୍ତି ।
ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏକ ଜନ ଆନେ୍ଦାଳନରେ ପରିଣତ ହୋଇଛି ।ଏହି ଅଭିଯାନର ଦ୍ୱିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ଗଛ ଲଗାଇବାକୁ ଆମେ ଲକ୍ଷ୍ୟ ରଖିଛୁ । ଜୁନ୍ ୫ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ୩୦ ସେପ୍ଟେରରେ ସମାପ୍ତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୫ତମ ଜନ୍ମଦିନ- ସେପ୍ଟେମ୍ବର ୧୭ ତାରିଖ । ଏକ ସଶକ୍ତ ଓ ବିକଶିତ ଭାରତ ଗଠନରେ ମୋଦୀଜୀଙ୍କ ନେତୃତ୍ୱ ଆଜି ସାରା ବିଶ୍ୱରେ ପ୍ରଶଂସା ଅର୍ଜନ କରିଛି । ଓଡିଶାର ବିକାଶ ପ୍ରତି ମୋଦୀଜୀଙ୍କର ସ୍ୱତନ୍ତ୍ର ଦୃଷ୍ଟି ରହିଛି ।ଓଡିଶାର ବିକାଶ ପ୍ରତି ତାଙ୍କର ନିଷ୍ଠାକୁ ସମ୍ମାନ ଦେଇ ସେହି ଗୋଟିଏ ଦିନରେ ୭୫ ଲକ୍ଷ ଚାରାରୋପଣ କରାଯିବ । ଏହା ହେବ ମୋଦୀଜୀଙ୍କ ପ୍ରତି ଓଡିଶା ବାସୀଙ୍କ ଏକ ସଶ୍ରଦ୍ଧ ଉପହାର । ତେଣୁ, ବୃକ୍ଷରୋପଣ ଭଳି ମହତ କାମରେ ସମସ୍ତ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ି, ଏସଏଚଜି ସଦସ୍ୟା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଡ଼ି ହୋଇ ଏହାକୁ ସଫଳ କରିବା ପାଇଁ ମୋର ବିଶେଷ ଅନୁରୋଧ ।ଆସନ୍ତୁ, ଏହି ଅଭିଯାନରେ ଆମେ ସମସ୍ତେ ସାମିଲ ହେବା । ଆମ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଧରିତ୍ରୀ ମା’ର ସୁରକ୍ଷା ଲାଗି ଗଛଟିଏ ନିଶ୍ଚୟ ଲଗାଇବା । ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁନ୍ଦର ପୃଥିବୀ ଗଢ଼ି ତୋଳିବାରେ ସହାୟକ ହେବା ।



