ରାସ୍ତା ପାଲଟିଛି ଆବର୍ଜନା କୁଣ୍ଡ
ଭଟଲି :- ବରଗଡ ଜିଲ୍ଲା ଭଟଲି ତହସିଲ କାର୍ଯ୍ୟାଳୟ ନିକଟରେ ରହିଛି ସତିହାରୀ ନଗର ।ଏଠାରେ ୪୦ ରୁ ଉର୍ଦ୍ଧ୍ୱ ପରିବାରର ଶତାଧିକ ଲୋକ ବହୁ ବର୍ଷରୁ ବସବାସ କରିଆସୁଛନ୍ତି । ପ୍ରଥମେ ଏହି ବସ୍ତି ବାସିନ୍ଦା ଯାତାୟତ ପାଇଁ ବ୍ୟକ୍ତିଗତ ରାସ୍ତା ଉପରେ ନିର୍ଭର କରୁଥିଲେ । ସମୟକ୍ରମେ ଜାଗାର ମାଲିକ ଗୃହ ନିର୍ମାଣ କରି ବ୍ୟକ୍ତିଗତ ବ୍ୟବହାର ପାଇଁ ବନ୍ଦ କରି ଦେଇଥିଲେ । ପରେ ଏଠାକାର ଲୋକେ ତହସିଲ କାର୍ଯ୍ୟାଳୟର ପାଚେରୀକୁ ସଂଲଗ୍ନ କରି ସରକାରୀ ଜମିରେ ନିଜସ୍ୱ ଖର୍ଚ୍ଚରେ ମାଟି ପକାଇ ଏକ ରାସ୍ତା ନିର୍ମାଣ କରାଇଥିଲ । କିନ୍ତୁ ଏବେ ସେହି ରାସ୍ତା ଯାତାୟତ ଉପଯୋଗୀ ନୁହଁ । ଏହି ରାସ୍ତା ଦେଇ ବର୍ଷାଦିନେ ଯିବା ଆସିବା ଅତ୍ୟନ୍ତ କଷ୍ଟକର ହୋଇ ପଡିଛି । ଏହା ମାଟି ରାସ୍ତା ହୋଇଥିବାରୁ ବର୍ଷାପାଣିରେ ଖାଲଢିପ ହୋଇ ପାଣିକାଦୁଅରେ ପଚପଚ କରୁଛି । ଏହା ସହିତ ଆଖପାଖର ଦୋକାନୀ ତଥା ସ୍ଥାନୀୟ ଲୋକେ ଅଳିଆ ଆବର୍ଜନା ପକାଇ ଦେବାରୁ ଏହି ରାସ୍ତା ଅପରିଷ୍କାର ହୋଇ ପଡିରହିଛି ।ଆବର୍ଜନା ବହୁ ଦିନରୁ ପଡିରହିଥିବାରୁ ଦୁଗର୍ନ୍ଧଯୁକ୍ତ ପରିବେଶ ସୃଷ୍ଟି ହେବା ସହିତ ପୋକ ସିଲିବିଲି ହେଉଥିବା ଦେଖିବାକୁ ମିଳିଛି । ଏହା ଭଟଲି ସହରର ମୁଖ୍ୟ ରାସ୍ତାକୁ ସଂଯୋଗ ହେଉଥିବାରୁ ଦୈନିକ ଶହ ଶହ ଲୋକ ଯାତାୟତ କରିଥାନ୍ତିା ରାସ୍ତାଟି ଧୀରେ ସମ୍ପୂର୍ଣ୍ଣ ଭାବେ ଆବର୍ଜନା କୁଣ୍ଡ ପାଲଟି ଯାଇଛିା ସେ ରାସ୍ତା ଦେଇ ଯାତାୟତ କରିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାକୁ ଲାଗି ତହସିଲ କାର୍ଯ୍ୟାଳୟ ଥିଲେ ମଧ୍ୟ କାହାରି ନଜରକୁ ଆସୁନାହିଁ । ନୂତନ ରାସ୍ତା ନର୍ମାଣ ସହିତ ପରିଷ୍କାର ପରିଛନ୍ନ କରାଯିବାକୁ ସତିହାରୀ ନଗର ବାସିନ୍ଦା ଦାବୀ କରିଛନ୍ତି ।



