Spread the love

ଭୁବନେଶ୍ୱର,୨୬/୯ : – ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ଏହାର ୪୪ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ୍ ମୋଡରେ ସେୟାରହୋଲ୍ଡରମାନଙ୍କୁ ସମ୍ବୋଧିତ କରି, ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ସେମାନଙ୍କ ନିରନ୍ତର ବିଶ୍ୱାସ ଏବଂ ଏକତା ପାଇଁ ହୃଦୟର ସହିତ କୃତଜ୍ଞତା ଜଣାଇଥିଲେ।

କମ୍ପାନୀର ସଫଳ ଯାତ୍ରା ନିମନ୍ତେ ନାଲକୋ ପରିବାରର ପ୍ରଚେଷ୍ଟା ଏବଂ ଦୂରଦୃଷ୍ଟିକୁ ମଧ୍ୟ ସେ ପ୍ରଶଂସା କରିଥିଲେ ଯାହା କମ୍ପାନୀକୁ ୨୦୨୪-୨୫ ଆର୍ଥିକ ବର୍ଷରେ ରେକର୍ଡ ପ୍ରଦର୍ଶନ ହାସଲ କରିବାରେ ସାହାଯ୍ୟ କରିଛି।ଶ୍ରୀ ସିଂହ ନିଜ ଅଭିଭାଷଣରେ, ନାଲକୋର କାର୍ଯ୍ୟଦକ୍ଷତା, ସ୍ୱଚ୍ଛତା, ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକତା ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଭାରତକୁ ଏକ ଶକ୍ତିଶାଳୀ ଦେଶ ଭାବେ ଗଢିବାର ଯାତ୍ରାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ। ଶ୍ରୀ ସିଂହ ଭାରତୀୟ ଆଲୁମିନିୟମ କ୍ଷେତ୍ରର ଅପାର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିବା ସହ କହିଥିଲେ ଯେ, ୨୦୩୦ ପର୍ଯ୍ୟନ୍ତ ଘରୋଇ ଚାହିଦା ୭.୬ପ୍ରତିଶତ ହାରରେ ବୃଦ୍ଧି ହେବାର ଆକଳନ କରାଯାଉଛି। ଏହି ବୃଦ୍ଧି ମୁଖ୍ୟତଃ ବୈଦ୍ୟୁତିକ ଯାନବାହନର ବୃଦ୍ଧି, ଦ୍ରୁତ ଭିତ୍ତିଭୂମି ବିକାଶ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରର ଅଭିବୃଦ୍ଧି ଦ୍ୱାରା ପରିଚାଳିତ ହେବ। ଏହି ସୁଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ, ତ୍ୱରିତ ପ୍ରଯୁକ୍ତିବିଦ୍ୟା ସଂଯୋଗୀକରଣ, ସ୍ୱଚ୍ଛ ତଥା ଅକ୍ଷୟ ଶକ୍ତିର ବ୍ୟବହାର, ମୂଲ୍ୟ ସଂଯୋଗୀକରଣ ଏବଂ ବିଶ୍ୱ ବଜାରରେ ଅସ୍ଥିରତା କୁ ସାମ୍ନା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।ଶ୍ରୀ ସିଂହ ମଧ୍ୟ ନିରନ୍ତର ଅଭିବୃଦ୍ଧି, ନବସୃଜନ ଏବଂ ରଣନୈତିକ ଯୋଜନା ଉପରେ ନାଲକୋର କାର୍ଯ୍ୟଧାରା ତଥା ଜାତୀୟ ବିକାଶ ଏବଂ ବିଶ୍ୱ ଆଲୁମିନିୟମ ପରିଦୃଶ୍ୟରେ କମ୍ପାନୀର ଅର୍ଥପୂର୍ଣ୍ଣ ଯୋଗଦାନ ନିମନ୍ତେ ଦୃଢ ମତ ପ୍ରକାଶ କରିଥିଲେ। ବାର୍ଷିକ ସାଧାରଣ ବୈଠକରେ କମ୍ପାନୀ ସଚିବଙ୍କ ସହିତ କାର୍ଯ୍ୟତ୍ମକ ଏବଂ ସ୍ୱାଧୀନ ନିର୍ଦ୍ଦେଶକମାନେ ମଧ୍ୟ ଉପସ୍ଥିତ ଥିଲେ। ସେୟାରଧାରକମାନେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତି ଇକ୍ୱିଟି ସେୟାର ପିଛା ଟ୨.୫୦ଙ୍କା ର ଚୂଡ଼ାନ୍ତ ଲାଭାଂଶକୁ ଅନୁମୋଦନ କରିଥିଲେ ଯାହାର ପରିମାଣ ୪୫୯.୧୬ କୋଟି ଟଙ୍କା। ସେହିପରି, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ଲାଭାଂଶ ପ୍ରଦାନ ୧୯୨୮.୪୬ କୋଟି ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *