ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ୧୮୬୯ ମସିହା ଅକ୍ଟୋବର ୨ରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ ଅହିଂସାର ପ୍ରତୀକ ମୋହନ ଦାସ କରମଚାନ୍ଦ ଗାନ୍ଧୀ । ଅହିଂସା ପଥ ଅନୁକରଣ କରି ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ୍ ପୁରୁଷଙ୍କ ଜୟନ୍ତୀ ପାଇଁ ସବୁଠି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଭାରତୀୟ ରାଜନୀତିରେ ମହାତ୍ମାଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପଥ ଆପଣାଇଥିଲେ ।ସେପଟେ ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ୧୯୦୪ ମସିହାରେ ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ । ପିଲା ଦିନରୁ ସେ ଶାନ୍ତ ଓ ସରଳ ସ୍ୱଭାବର ଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହୁରଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ଶାସ୍ତ୍ରୀଜୀ ପ୍ରଧାନମନ୍ତ୍ରୀ ଥିବା ବେଳେ ପାକିସ୍ତାନ ସହ ଯୁଦ୍ଧ ଲଢି ନିଜର ପରାକ୍ରମ ଦେଖାଇ ପାରିଥିଲା ଭାରତ । ତାଙ୍କର ସ୍ଲୋଗାନ ‘ଜୟ ଯବାନ ଏବଂ ଜୟ କିଶାନ’ ଦେଶ ପାଇଁ ଅମର ହୋଇ ରହିଛି ।ଅହିଂସାର ପୂଜାରୀ, ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା, ଅହିଂସାରେ ଯୁଦ୍ଧ କରି ବିଜୟୀ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ପ୍ରକୃତ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ । ଅକ୍ଟୋବର 2 ତାରିଖ 1869 ତାରିଖରେ ଗୁଜୁରାଟର ପୋରବନ୍ଦର ଜନ୍ମଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ପିତାଙ୍କ ନାମ କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ପୁତଲିବାଇ । ଗାନ୍ଧୀଙ୍କ ପିତା ପୋରବନ୍ଦରର ଦିୱାନ ଥିଲେ । ତାଙ୍କ ମାଆ ପୁତଲିବାଇ ଜଣେ ଗୃହିଣୀ ଥିଲେ । ମାତ୍ର 13 ବର୍ଷ ବୟସରେ ଗାନ୍ଧୀ କସ୍ତୁରବାଙ୍କୁ ବିବାହ କରିଥିଲେ । ମହାତ୍ମାଗାନ୍ଧୀ ଏବଂ କସ୍ତୁରବାଙ୍କର ଚାରି ପୁତ୍ର ହିରାଲାଲ, ମଣିଲାଲ, ରାମଦାସ ଏବଂ ଦେବଦାସ ଥିଲା।ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ ଗାନ୍ଧିଜୀ । ତାଙ୍କୁ ଆଦରରେ ଜାତିର ପିତା ଓ ବାପୁଜୀ ବୋଲି କୁହାଯାଏ । ଗାନ୍ଧୀଙ୍କୁ ମହାତ୍ମାର ଆଖ୍ୟା ଦେଇଥିଲେ ଗୁରୁ ରବୀନ୍ଦ୍ରନାଥ ଟାଗୋର । ଟାଗୋର ମହାତ୍ମା କଥା କହି ଶାନ୍ତିନିକେତନ ଆଶ୍ରମରେ ଗାନ୍ଧୀଙ୍କୁ ସମ୍ବୋଧିତ କରିଥିଲେ। ରାଜକୁମାରୀ ଶୁକ୍ଲା ମହାତ୍ମା ଗାନ୍ଧୀଙ୍କୁ ସର୍ବପ୍ରଥମେ ‘ବାପୁ’ ବୋଲି ଡାକିଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରଥମେ ଗାନ୍ଧୀଜୀଙ୍କୁ ଜାତିର ପିତାର ଆଖ୍ୟା ଦେଇଥିଲେ ।ଦେଶକୁ ସ୍ବାଧୀନତା ଆଣିବାକୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଅନେକ ଆନ୍ଦୋଳନ କରାଯାଇଥିଲା । ଭାରତଛାଡ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ । 1942 ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭାରତରେ ବ୍ରିଟିଶ ଶାସନର ଅନ୍ତ ଘଟାଇବାକୁ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଡାକରା ଦିଆଯାଇଥିଲା । ଗାନ୍ଧିଜୀଙ୍କ କର ବା ମର ଡାକରାରେ ଏକଜୁଟ ହୋଇଥିଲା ସାରା ଭାରତ । ଶେଷରେ ଗୋରା ସରକାର ଭାରତ ଛାଡିବାକୁ ବାଧ୍ୟ ହୋଇଥିଲେ । ବୈଷ୍ଣବ ଜନ କୋ ଗାନ୍ଧୀଙ୍କ ପ୍ରିୟ ସଙ୍ଗୀତ । ଧଳା ଧୋଦି ହାତରେ ବାଡି ଖଣ୍ଡେ ଧରି ଚାଲୁଥିବା ମଣିଷଟି ହେଉଛନ୍ତି ବାପୁ । ତାଙ୍କ ଜୀବନୀ ସମସ୍ତଙ୍କ ପାଇଁ ପ୍ରେରଣା । ୩୦ ଜାନୁଆରୀ ୧୯୮୪ରେ, ଗାନ୍ଧିଜୀଙ୍କୁ ନୂଆଦିଲ୍ଲୀର ନାଥୁରାମ ଗଡସେ ହତ୍ୟା କରିଥିଲେ । ଅହିଂସା ବାର୍ତ୍ତା ଦେଇଥିବା ଏହି ମହାନ ବ୍ୟକ୍ତିତ୍ୱର ଜୀବନ ଅନ୍ତ ହୋଇଥିଲା ସତ ତାଙ୍କ ବଳିଦାନ ସବୁବେଳେ ବଞ୍ଚି ରହିଛି ।



