ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମଗ୍ର ଦେଶକୁ ବାମପନ୍ଥୀ ଉଗ୍ରବାଦ କବଳରୁ ମୁକ୍ତ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି । ହିଂସାତ୍ମକ କାର୍ଯ୍ୟକଳାପ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ମାଓବାଦୀଙ୍କୁ ଅନୁରୋଧ କରି ଶ୍ରୀ ଶାହା କହିଛନ୍ତି, ଯେଉଁମାନେ ହିଂସାପଥରେ ଅଗ୍ରସର ହେବେ, ସେମାନଙ୍କୁ ଭବିଷ୍ୟତରେ ଦେଶର ସୁରକ୍ଷା ବଳର କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ।
ଛତିଶଗଡ଼ର ଜଗଦଳପୁରଠାରେ ଆୟୋଜିତ ବସ୍ତର ଦଶହରା ଲୋକୋତ୍ସବରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ନକ୍ସଲ ସମସ୍ୟା ଯୋଗୁଁ ବସ୍ତର ଅଞ୍ଚଳର ଦୀର୍ଘଦିନ ଧରି କୌଣସି ଉନ୍ନତି ହୋଇପାରୁ ନାହିଁ । ତେବେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପରେ ସମ୍ପୃକ୍ତ ଅଞ୍ଚଳର ବିକାଶ ଦିଗରେ ଉଗ୍ରବାଦୀମାନେ କୌଣସି ବାଧା ସୃଷ୍ଟି କରିପାରିବେ ନାହିଁ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଗ୍ରାମୀଣ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ।



