ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନୂଆପଡା ବିଧାନସଭା ଉନିର୍ବାଚନ ପାଇଁ ବିରାଟ ବଡ଼ ପଟୁଆର ସହ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
କ୍ଷମତାକୁ ଆସିଲା ପରେ ବିଜେପି ପ୍ରଥମ ଥର ପାଇଁ ଉପନିର୍ବାଚନର ସାମନା କରୁଥିବାରୁ ଏହା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । ନିର୍ବାଚନୀ ରଣନୀତିର ପ୍ରଥମ ପର୍ଯ୍ୟାୟରେ ଦିବଂଗତ ବିଜେଡି ବିଧାୟକଙ୍କ ପୁଅ ଜୟ ଢୋଲକିଆଙ୍କୁ ନିଜ ପକ୍ଷକୁ ଆଣି ପ୍ରାର୍ଥୀ କରାଇବାରେ ଦଳ ସଫଳ ହୋଇଛି ।
ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି ବୋଲି ଜୟ ଢୋଲକିଆ କହିଥିବା ବେଳେ ନୂଆପଡ଼ା ରାଜନୀତିରେ ଆଜି ବଡ଼ ହଟଚମଟ ଦେଖିବାକୁ ମିଳିଥିଲା। କିଛି ଦିନ ହେଲା ନୂଆପଡ଼ା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ପ୍ରଚାର କରୁଥିବା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ସମସ୍ତଙ୍କୁ ବିସ୍ମିତ କରି ବିଜେପିରେ ଯୋଗ ଦେଇଥିଲେ। ଜୟ ବିଜେପିରେ ଯୋଗ ଦେବା ପରେ କହିଥିଲେ ଯେ ନୂଆପଡ଼ା ଏକ ଉପାନ୍ତ ଅଞ୍ଚଳ। ଏହି ଅଞ୍ଚଳର ବିକାଶ ପାଇଁ ବାପା ରାଜେନ୍ଦ୍ର ଢୋଲକିଆ ଅନେକ ସ୍ୱପ୍ନ ଦେଖିଥିଲେ। ଏହି ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଜି ମୁଁ ବିଜେପିରେ ଯୋଗଦେଇଛି। ନୂଆପଡ଼ାକୁ ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ମୁଁ ଶପଥ ନେଉଛି।
ସେହିପରି ନୁଆପଡା ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜ ସମର୍ଥକ ମାନଙ୍କ ସହ ଆସି ନାମାଙ୍କନ ଭରିଛନ୍ତି । ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ମାଝୀ ଓ ବରିଷ୍ଠ ସଦସ୍ୟ ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନଭେମ୍ବର ୧୧ ତାରିଖରେ ଦିନ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ।କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସେ କଂଗ୍ରେସ ଟିକେଟ୍ ପାଇଁ ଦାବିଦାର ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହୋଇଥିଲେ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ। ଫଳରେ ଅସନ୍ତୁଷ୍ଟ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା। ଘାସିରାମ ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ତଥା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୧୫ହଜାର ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ।



