କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ପାଇଁ ସମନ୍ବୟ କମିଟି ବୈଠକ
ଅନୁଗୋଳ,ତା.୩୧.୧୦:-ନଭେମ୍ବର ମାସ ୧୭ ତାରିଖରୁ ୩୦ ତାରିଖ ମଧ୍ୟରେ ହେବାକୁ ଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ କରାଯାଇଥିବା ପ୍ରସ୍ତୁତି ଓ କାର୍ଯ୍ୟକାରିତା ସମ୍ବନ୍ଧରେ ସୂଚନା ଦେଇଥିଲେ । ସୂଚନା ମୁତାବକ ୧୭ ତାରିଖରୁ ସମସ୍ତ ବ୍ଳକରେ ଆଶାକର୍ମୀମାନେ ଘରକୁ ଘର ଯାଇ ସମସ୍ତ ଜନସାଧାରଣଙ୍କୁ ପରୀକ୍ଷା କରି କୁଷ୍ଠ ରୋଗ ସନ୍ଦେହ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବେ ଏବଂ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କୁ ୩ ଦିନ ମଧ୍ୟରେ ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଯାଇ କୁଷ୍ଠ ରୋଗରେ ଆକ୍ରାନ୍ତ ନିଶ୍ଚିତ ହୋଇଥିବା ବ୍ୟକ୍ତିମାନଙ୍କୁ ଏମ୍.ଡି.ଟି ଦ୍ବାରା ମାଗଣାରେ ଚିକିତ୍ସା କରାଇବେ । ଏହି ଅଭିଯାନରେ ସମ୍ପୃକ୍ତ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ଅଧିକାରୀମାନଙ୍କ କର୍ଭବ୍ୟ ଓ ଭୂମିକା ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି । ୨୦୨୪-୨୫ ଆର୍ଥୀକ ବର୍ଷରେ ଅନୁଗୋଳ ଜିଲ୍ଲାରେ ୨୫୪ ଜଣ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ୧୧୩ ଜଣ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୨୭ ମସିହା ସୁଦ୍ଧା ଏକ କୁଷ୍ଠ ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଚର୍ମ ବିଶେଷଜ୍ଞ ଡା. ବିଶ୍ବଜିତ୍ ସାମଲ, ଜିଲ୍ଲା କୁଷ୍ଠ ରୋଗ କେନ୍ଦ୍ର ପରିଚାଳକ ଡ. ସୂର୍ଯ୍ୟ ନାରାୟଣ ଦତ୍ତଙ୍କ ସମେତ ବ୍ଳକ୍ ଚିକିସ୍ବାଧ୍ଧକାରୀ, ମହିଳା ଓ ଶିଶୁ ସାମାଜିକ ସୁରକ୍ଷା ବିଭାଗ, ଶିକ୍ଷା ବିଭାଗ ଓ ସ୍ବେଛାସେବୀ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।




