ଚିଚେଇଗୁଡ଼ାରେ ଆର.ଏମ.ସି ନିର୍ମାଣରେ ନିମ୍ନମାନ କାମ ଅଭିଯୋଗ

ଜୁନାଗଡ,4/୫ – (ବାଲେଶ୍ୱର ସୁନାନୀ )ଜୁନାଗଡ଼ ଅଞ୍ଚଳର ଚିଚେଇଗୁଡ଼ାରେ ନିୟନ୍ତ୍ରିତ ବଜାର ସମିତି ଆର.ଏମ.ସି ଅଧୀନରେ ଚାଲୁଥିବା ଏକ ନିର୍ମାଣ କାର୍ଯ୍ୟକୁ ନେଇ ଗୁରୁତର ନିମ୍ନମାନ ଓ ଅନିୟମିତତା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ,ପ୍ଲିନ୍ଥ ବିମ୍ରେ ନିର୍ଦ୍ଧାରିତ ୬ ଇଞ୍ଚ ରଡ୍ ପରିବର୍ତ୍ତେ ୯ ଇଞ୍ଚ ରଡ୍ ବ୍ୟବହାର ହେଉଥିବା ସହିତ ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଚାଲିଛି।ଏହା ସହିତ,ପ୍ଲିନ୍ଥ ଭାଗରେ କଙ୍କ୍ରିଟ୍ ସଠିକ୍ ଭାବରେ ପକାଯାଉନଥିବା,କାମ ସମୟରେ ଭାଇବ୍ରେଟର ବ୍ୟବହାର ନ ହେବାରୁ ରଡ୍ ବାହାରକୁ ଦେଖାଯାଉଥିବା,ଦେଵାଲ ନିର୍ମାଣ ବାଙ୍କା ହେଉଥିବା ପରି ଅନେକ ତ୍ରୁଟି ଦେଖାଯାଇଛି।ସେହିପରି, ବିଲ୍ଡିଂର ପ୍ଲିନ୍ଥ ଲେଭେଲ୍ରେ ଗଡ଼ା ୩ ଫୁଟ୍ କରିବାକୁ ଥିବା ସ୍ଥାନରେ କେବଳ ୧ ଫୁଟ୍ କରାଯାଇଥିବା ଅଭିଯୋଗ ମଧ୍ୟ ରହିଛି, ଯାହା ଭବିଷ୍ୟତରେ ଭବନର ସୁରକ୍ଷା ପାଇଁ ଗୁରୁତର ଆଶଙ୍କା ସୃଷ୍ଟି କରୁଛି। ଏହି ସମସ୍ତ ଅନିୟମିତତା ଫଳରେ ନିର୍ମାଣ କାର୍ଯ୍ୟର ଗୁଣତ୍ୱ ଗୁରୁତର ଭାବେ ପ୍ରଭାବିତ ହେଉଥିବାବେଳେ ସ୍ଥାନୀୟ ଲୋକମାନେ ଶୀଘ୍ର ତଦନ୍ତ ଦାବି କରିଛନ୍ତି। ସେମାନେ ଦୋଷୀ ଠିକାଦାର ଓ ସମ୍ବନ୍ଧିତ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିୟମାନୁସାରେ ମାନସମ୍ମତ ନିର୍ମାଣ କାର୍ଯ୍ୟ ସୁନିଶ୍ଚିତ କରିବାକୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ, ଏହି ଘଟଣା ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି କାର୍ଯ୍ୟରତ ବ୍ୟକ୍ତି ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ମଧ୍ୟ ସମ୍ପୂର୍ଣ୍ଣ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।ସମ୍ପୂର୍ଣ୍ଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ପ୍ରଶାସନ କେତେ ଶୀଘ୍ର ପଦକ୍ଷେପ ନେଉଛି, ତାହାକୁ ନେଇ ଜନସାଧାରଣଙ୍କ ନଜର ରହିଛି ।




