Spread the love

ଅନୁଗୋଳରେ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

​ଅନୁଗୋଳ, ତା. ୧୨.୧୦: ଅନୁଗୋଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ଉତ୍ସବକୁ ବ୍ୟବସ୍ଥିତ ଓ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ଆଜି ଅପରାହ୍ନରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ବୈଠକରେ ଯୋଗ ଦେଇ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ଉତ୍ସବକୁ ବ୍ୟବସ୍ଥିତ ଓ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ସାହୁ ଯୋଗ ଦେଇ ସମସ୍ତଙ୍କୁ ସ୍ୱାଗତ କରିବା ସହ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ। ଚଳିତ ବର୍ଷ ଅନୁଗୋଳ ସହରରେ ଦୁର୍ଗା ପୂଜା ଉତ୍ସବ ନିମନ୍ତେ ମୋଟ୍ ୧୦ଗୋଟି ମଣ୍ଡପ ଓ ଲକ୍ଷ୍ମୀ ପୂଜା ଉତ୍ସବ ନିମନ୍ତେ ମୋଟ୍ ୨୮ଗୋଟି ମଣ୍ଡପ ପ୍ରସ୍ତୁତ କରାଯିବ। ଚଳିତ ମାସ ୧୨ତାରିଖ ଠାରୁ ଦୁର୍ଗାପୂଜା ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଅକ୍ଟୋବର ୨୨ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ମାସ ୨୪ ତାରିଖରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
​ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଳ ପୂର୍ଣ୍ଣ କଳସ ଯାତ୍ରା ନ କରିବା ନିମନ୍ତେ ମତ ପ୍ରକାଶ ପାଇଥିଲା। ସମସ୍ତ ପୂଜା କମିଟି ଦ୍ୱାରା ନିର୍ମିତ ତୋରଣଗୁଡ଼ିକ ଭୂଇଁ ଠାରୁ ଅନ୍ୟୁନ ୧୮ ଫୁଟ୍ ଉଚ୍ଚରେ ରହିବ ଓ ୧୮ ଫୁଟ୍ ଓସାରରେ ନିର୍ମାଣ ହେବ ଏବଂ ଭିଡ଼ ନିୟନ୍ତ୍ରଣ ଗୁଡ଼ିକୁ ୧୨ ଫୁଟ୍ ଉଚ୍ଚତାରେ ଲଗାଯିବ। ପୂଜା ସମୟରେ ରାସ୍ତାକଡ଼ି ଅଦରକାରୀ ଥିବା ଓ ଅବ୍ୟବହୃତ ବାଉଁଶ ଖୁଣ୍ଟ ବ୍ୟବହାରକୁ ବାରଣ କରାଯାଇଛି। ଏହାର ତଦାରଖ ନିମନ୍ତେ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ପୂଜା ଓ ଭସାଣିରେ ଡିଜେ ଉପରେ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ପୂଜା ସମୟରେ ମେଲୋଡି ଓ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ସବୁ ରାତ୍ରି ୧୧ ଘଟିକା ସୁଦ୍ଧା ସମାପ୍ତ କରିବାକୁ ପଡ଼ିବ। ଚଳିତ ବର୍ଷ ହେମସୁରପଡ଼ା ଦୁର୍ଗାପୂଜା କମିଟି ଦ୍ୱାରା ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
​ପୂଜା ସମୟରେ ପ୍ରାଥମିକ ଚିକିତ୍ସା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଅବକାରୀ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ପୂର୍ବ ବର୍ଷ ଭଳି କୁଇଜିନିଆଗୁଡ଼ିକ ପ୍ରଶାସନର କର୍ତ୍ତୃପକ୍ଷଙ୍କ ଅନୁମତି ନ ଥିଲେ ସେଗୁଡ଼ିକୁ ସିଲ୍ କରାଯିବାକୁ ସ୍ଥିର ହୋଇଛି। ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବା ନିମନ୍ତେ ଟିପିସିଓଡିଏଲ୍‌କୁ ଅନୁରୋଧ କରାଯାଇଛି।
​ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ପୌରପାଳିକା ପୌର ନିର୍ବାହୀ ଅଧିକାରୀ ଶ୍ରୀ ରମାକାନ୍ତ ସାହୁ, ଅନୁଗୋଳ ପୌରପାଳିକା ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଜୟ କୁମାର ତ୍ରିପାଠୀ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ପ୍ରଭାତ କୁମାର ସାହୁ, ଅତିରିକ୍ତ ଏସ୍.ପି. ଶ୍ରୀ ଅକ୍ଷୟ ନାୟକ, କେନ୍ଦ୍ରୀୟ ପୂଜା କମିଟିର ସଭାପତି, ସମ୍ପାଦକଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *