Spread the love

ଆଜି ରାଷ୍ଟ୍ରପତିଙ୍କ ନୟାଗଡ଼ ଗସ୍ତ । କଣ୍ଟିଲୋରେ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିବା ପରେ ସ୍ଥାନୀୟ କାଳିଆପଲ୍ଲୀ ଗାଁରେ ଏକ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନଜରରେ ରଖି ନୀଳମାଧବଙ୍କ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାଳିଆପଲ୍ଲୀ ଗାଁରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ପଶ୍ଚିମଦ୍ୱାର ଦେଇ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିବେ ମହାମହିମ । ସେଥିପାଇଁ ମନ୍ଦିରରେ ରଙ୍ଗ ଦିଆଯାଇଛି । ପଶ୍ଚିମ ଦ୍ୱାର ସଂଲଗ୍ନ ରାସ୍ତାକୁ ନୂଆ ରୂପ ଦିଆଯାଉଛି । ଲିଫ୍ଟକୁ କାର୍ଯ୍ୟକ୍ଷମ କରାଯାଇଛି । ସେବାୟତଙ୍କ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ପ୍ରଥମଥର ପାଇଁ ନୀଳମାଧବଙ୍କ ଦର୍ଶନ ପାଇଁ ଆସୁଥିବାରୁ ମନ୍ଦିର ପୂଜକ ସମାଜ ଉତ୍ସାହିତ ଅଛନ୍ତି ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓ ଏସ୍‌ପି ଏସ. ସୁଶ୍ରୀ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ହେଲିପ୍ୟାଡ୍‌ , ନୀଳମାଧବ ମନ୍ଦିର ଓ ସମାବେଶ ସ୍ଥଳକୁ ତନତନ କରି ଯାଞ୍ଚ କରିଛନ୍ତି । ନୀଳମାଧବଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀରେ ଆୟୋଜିକ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଶ୍ୱାବସୁ ସମାଜ ପକ୍ଷରୁ ସମାବେଶର ଆୟୋଜନ କରାଯାଉଛି । ବର୍ଷବର୍ଷ ଧରି ବିଭିନ୍ନ ମୌଳିକ ସମସ୍ୟାରେ ଘାଣ୍ଟି ହେଉଥିବା କାଳିଆପଲ୍ଲୀ ଗାଁକୁ ସତେ ଯେମିତି ବିକାଶର ବାଟ ଫିଟିଛି ।ଅବହେଳିତ ଅବସ୍ଥାରେ ଗଛମୂଳେ ପୂଜା ପାଉଥିବା ବିଶ୍ୱାବସୁଙ୍କ ସ୍ଥାନକୁ ପାହାଚ ନିର୍ମାଣ କରାଯାଇଛି। ଯଜ୍ଞ ଗୃହ ନିର୍ମାଣ ସହ ବିଦ୍ୟୁତ୍‌ ସଂଯୋଗ ହୋଇଛି । ବାତ୍ୟା ଆଶ୍ରୟସ୍ଥଳକୁ ରଙ୍ଗ କରାଯାଇଛି । ମହାମହିମଙ୍କ ଦ୍ୱାରା ଉଦଘାଟନ୍‌ ହେବାକୁ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରସ୍ତୁତ କରାଯାଉଛି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପୁରା ଗାଁ ପ୍ରସ୍ତୁତ ହୋଇ ରହିଛି ।

Leave a Reply

Your email address will not be published. Required fields are marked *