ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ସଚେତନତା ସପ୍ତାହ: ନିଷ୍ଠାପରତାର ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:
ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ପ୍ରତିଷ୍ଠା ଲକ୍ଷ୍ୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ଭିଜିଲାନ୍ସ ସଚେତନତା ସପ୍ତାହ-୨୦୨୬’ ପାଳିତ ହେବ। ଚଳିତ ବର୍ଷ ଏହାର ମୁଖ୍ୟ ବିଷୟବସ୍ତୁ (ଥିମ୍) ରହିଛି— ‘ସମୃଦ୍ଧି ପାଇଁ ସାଧୁତା’ (Probity for Prosperity)।
ଅକ୍ଟୋବର ୨୭ ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନଙ୍କୁ ସାଧୁତା ଓ ନିଷ୍ଠାର ଶପଥ ପାଠ (Integrity Pledge) କରାଇବେ। ମୁଖ୍ୟ ଶାସନ ସଚିବ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ।
ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଏହାର ସିଧାପ୍ରସାରଣ କରାଯିବା ସହ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଓସୱାନ୍ (OSWAN) ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟକୁ ଏହି କାର୍ଯ୍ୟକ୍ରମ ସହ ଯୋଡ଼ାଯିବ। ଏହା ସହିତ ଗ୍ରାମାଞ୍ଚଳରେ ‘ସଚେତନତା ଗ୍ରାମସଭା’, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା, ୱାକାଥନ୍ ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଭିଜିଲାନ୍ସ ଅଧିକାରୀମାନଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯିବାର ଯୋଜନା ରହିଛି।
