ଏସିଆ କପ୍ ରାଇଜିଂ ଷ୍ଟାର୍ସରେ ଭାରତ-ପାକିସ୍ତାନ ମହାଲଢ଼େଇ, ନଭେମ୍ବର ୨୨ରେ ହାଇଭୋଲ୍ଟେଜ୍ ମୁକାବିଲା
ନୂଆଦିଲ୍ଲୀ, ୨୫/୧୦: କ୍ରିକେଟ୍ ପଡ଼ିଆରେ ପୁଣି ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ଲଢ଼େଇ। ଯୁବ କ୍ରିକେଟରଙ୍କୁ ନେଇ ଆୟୋଜିତ ହେବାକୁ ଥିବା ପୁରୁଷ ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ। ନଭେମ୍ବର ୨୨ରେ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଜାରି ହେବା ପରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି) ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, କତାରର ଦୋହାରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଭାରତ-ଏ ଓ ପାକିସ୍ତାନ-ଏକୁ ଗ୍ରୁପ୍-ବିରେ ରଖାଯାଇଛି। ନଭେମ୍ବର ୨୨ରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଏହା ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଆକର୍ଷଣ ପାଲଟିବ।
ନଭେମ୍ବର ୨୦ରୁ ଭାରତର ଅଭିଯାନ
ଭାରତ-ଏ ଦଳ ନଭେମ୍ବର ୨୦ରେ ନେପାଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଏହାପରେ ନଭେମ୍ବର ୨୨ରେ ପାକିସ୍ତାନ-ଏ ସହ ମୁକାବିଲା କରିବ। ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ନଭେମ୍ବର ୨୪ରେ ୟୁଏଇ ବିପକ୍ଷରେ ଖେଳାଯିବ।
ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେବେ। ଏହି ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି।
ଗ୍ରୁପ୍-ଏ: ଶ୍ରୀଲଙ୍କା-ଏ, ବାଂଲାଦେଶ-ଏ, ଆଫଗାନିସ୍ତାନ-ଏ ଓ ହଂକଂ।
ଗ୍ରୁପ୍-ବି: ଭାରତ-ଏ, ପାକିସ୍ତାନ-ଏ, ନେପାଳ ଓ ୟୁଏଇ।
ପ୍ରତ୍ୟେକ ଦଳ ନିଜ ଗ୍ରୁପ୍ର ଅନ୍ୟ ତିନୋଟି ଦଳ ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ନଭେମ୍ବର ୨୬ ଓ ୨୭ରେ ସେମିଫାଇନାଲ ଏବଂ ନଭେମ୍ବର ୨୯ରେ ଫାଇନାଲ ଖେଳାଯିବ।
ଗତ ସଂସ୍କରଣରେ ଭାରତକୁ ମିଳିଥିଲା ଝଟକା
୨୦୨୫ ଏସିଆ କପ୍ ରାଇଜିଂ ଷ୍ଟାର୍ସରେ ଭାରତ-ଏ ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ସଫଳତା ବଜାୟ ରଖିପାରିନଥିଲା। ଜିତେଶ ଶର୍ମାଙ୍କ ନେତୃତ୍ୱରେ ଦଳ ୟୁଏଇକୁ ୧୪୮ ରନ୍ରେ ପରାସ୍ତ କରିଥିଲା। କିନ୍ତୁ ପରବର୍ତ୍ତୀ ମ୍ୟାଚ୍ରେ ପାକିସ୍ତାନ-ଏଠାରୁ ୮ ୱିକେଟ୍ରେ ପରାଜିତ ହୋଇଥିଲା।
ଏହାପରେ ଓମାନକୁ ୬ ୱିକେଟ୍ରେ ହରାଇ ଭାରତ ସେମିଫାଇନାଲକୁ ଯାଇଥିଲା। ତେବେ ବାଂଲାଦେଶ-ଏ ବିପକ୍ଷ ମ୍ୟାଚ୍ ଟାଇ ହେବା ପରେ ସୁପର ଓଭରରେ ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଥିଲା।
ଅନ୍ୟପକ୍ଷରେ ପାକିସ୍ତାନ-ଏ ସେମିଫାଇନାଲରେ ଶ୍ରୀଲଙ୍କା-ଏକୁ ୫ ରନ୍ରେ ପରାସ୍ତ କରିଥିଲା। ଫାଇନାଲରେ ସୁପର ଓଭର ଜରିଆରେ ବାଂଲାଦେଶ-ଏକୁ ହରାଇ ଟାଇଟଲ୍ ହାସଲ କରିଥିଲା।
ଏଥର ଭାରତ-ଏ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହ ଟାଇଟଲ୍ ଦୌଡ଼ରେ ଆଗକୁ ବଢ଼ିବାକୁ ଚେଷ୍ଟା କରିବ। ତେବେ ନଭେମ୍ବର ୨୨ର ଭାରତ-ପାକିସ୍ତାନ ମୁକାବିଲା ଉଭୟ ଦଳ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ, ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।
