ଏସ୍ଆଇଆର୍ ବିରୋଧୀ ଆନ୍ଦୋଳନ ବେଳେ ଉତ୍ତେଜନା, ସିଜେପି ନେତା ଓ କର୍ମୀଙ୍କୁ ଉଠାଇନେଲା ପୋଲିସ
ନୂଆଦିଲ୍ଲୀ: ଏସ୍ଆଇଆର୍ (SIR) ପ୍ରସଙ୍ଗ ଓ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ରାଜଧାନୀ ଦିଲ୍ଲୀରେ ସିଜେପି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ଆନ୍ଦୋଳନ ଚାଲିଥିବା ବେଳେ ପୋଲିସ ସିଜେପିର ନେତା ଓ କର୍ମୀଙ୍କୁ ଅଟକ ରଖି ଉଠାଇ ନେଇଥିବା ଜଣାପଡ଼ିଛି।
ପ୍ରତିବାଦକୁ ଦୃଷ୍ଟିରେ ରଖି ଜନ୍ତରମନ୍ତର ସମେତ ନୂଆଦିଲ୍ଲୀର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆନ୍ଦୋଳନରେ ପ୍ରାୟ ୭ ହଜାରରୁ ଅଧିକ ବିକ୍ଷୋଭକାରୀ ସାମିଲ ହୋଇଥିବା ଦାବି କରାଯାଇଛି।
ଜନ୍ତରମନ୍ତରରେ କଡ଼ା ସୁରକ୍ଷା ବଳୟ
ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଓ ଭିଡ଼ ପରିଚାଳନା ପାଇଁ ଜନ୍ତରମନ୍ତର ପ୍ରବେଶ ପଥରେ ପାଞ୍ଚଟି ବ୍ୟାରିକେଡ୍ ଲଗାଯାଇଛି। ୧୫ଟି ଜିଲ୍ଲାରୁ ଆସିଥିବା ବିଏସ୍ଏଫ୍ ଓ ସିଆର୍ପିଏଫ୍ ଯବାନଙ୍କ ସମେତ ଅର୍ଦ୍ଧସାମରିକ ବାହିନୀକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।
ଜନପଥ, ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଓ ପୋଲିସ ମୁଖ୍ୟାଳୟ ଅଞ୍ଚଳକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ ସୁରକ୍ଷା ନିରୀକ୍ଷଣ ବଢ଼ାଯାଇଛି।
୨୦ଟି ଜୋନ୍ରେ ବିଭକ୍ତ ନୂଆଦିଲ୍ଲୀ
ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆଦିଲ୍ଲୀ ଜିଲ୍ଲାକୁ ୨୦ଟି ଜୋନ୍ରେ ବିଭକ୍ତ କରାଯାଇଛି। ଏହା ସହିତ ୩୦୦ରୁ ଅଧିକ ଅତିରିକ୍ତ ସିସିଟିଭି କ୍ୟାମେରା ଲଗାଯାଇଛି। ବିନା ଅନୁମତିରେ ଆନ୍ଦୋଳନ ସ୍ଥଳକୁ ଆସୁଥିବା ଲୋକଙ୍କୁ ଅଟକ ରଖିବା ପାଇଁ ୧୨ଟି ସ୍ୱତନ୍ତ୍ର ଅଟକ କେନ୍ଦ୍ର ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ଇଣ୍ଟରନେଟ୍ ସେବା ଉପରେ କଟକଣା
ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି କିଛି ଅଞ୍ଚଳରେ ଇଣ୍ଟରନେଟ୍ ସେବା ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ଖବର ମିଳିଛି। ଏପରି କଠୋର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସିଜେପିର ପ୍ରତିବାଦ ଜାରି ରହିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ରାଜଧାନୀରେ ରାଜନୈତିକ ଉତ୍ତାପ ବଢ଼ାଇଛି।
ପ୍ରତିବାଦ ସମୟରେ ଦୋକାନବଜାର ବନ୍ଦ ରହିବା ସହ ୪୫ଟି ମେଟ୍ରୋ ସେବା ଏବଂ ୨୫୦ରୁ ଅଧିକ ଟ୍ରେନ୍ ବାତିଲ ହୋଇଥିବା ଦାବି କରାଯାଇଛି। ଫଳରେ ଯାତ୍ରୀମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।
