Spread the love

ଓଡ଼ିଶା ଡିଜିପି ଚୟନ ମାମଲାରେ ଶୁଣାଣି ଶେଷ

ଏକ୍ସ-କ୍ୟାଡର ପଦୋନ୍ନତିଠାରୁ ସୁଶାନ୍ତ ନାଥଙ୍କ ସତ୍ୟନିଷ୍ଠା ପ୍ରମାଣପତ୍ର ପର୍ଯ୍ୟନ୍ତ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଓଡ଼ିଶାର ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଛି। ମାମଲାରେ ଓଡ଼ିଶା ସରକାରଙ୍କ ସମେତ ସମସ୍ତ ପକ୍ଷର ଯୁକ୍ତି ଶୁଣିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ତେବେ ରାୟ ପ୍ରକାଶର ତାରିଖ ନେଇ କୋର୍ଟ ପକ୍ଷରୁ କୌଣସି ତତ୍କାଳ ସୂଚନା ଦିଆଯାଇନାହିଁ।

ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଓ ଡିଜିପି ଚୟନ ପ୍ରକ୍ରିୟା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଖଣ୍ଡପୀଠ ପ୍ରଶ୍ନ ଉଠାଇଥିବା ଜଣାପଡ଼ିଛି। ବିଶେଷକରି ଦୁଇଟି ଏକ୍ସ-କ୍ୟାଡର ପଦବୀରେ ଦୁଇଜଣ ଲେଭଲ୍-୧୬ ଅଧିକାରୀ ଥିବା ସତ୍ତ୍ୱେ ଆଉ ଦୁଇଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଏକ୍ସ-କ୍ୟାଡର ପଦବୀକୁ ଉନ୍ନୀତ କରାଯିବାର ଆବଶ୍ୟକତା ନେଇ ପ୍ରଶ୍ନ ଉଠିଥିଲା।

ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କ ସମ୍ମୁଖରେ ଏହାର ଉତ୍ତର ରଖିଥିଲେ। ଲେଭଲ୍-୧୫ର ଆଇପିଏସ୍ ଅଧିକାରୀଙ୍କୁ ଲେଭଲ୍-୧୬କୁ ଉନ୍ନୀତ କରିବାର ଆଇନଗତ ବୈଧତା ନେଇ ମଧ୍ୟ ଉଭୟ ପକ୍ଷରୁ ଭିନ୍ନ ଯୁକ୍ତି ରଖାଯାଇଥିଲା।

ଏହା ସହିତ ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କ ସତ୍ୟନିଷ୍ଠା ପ୍ରମାଣପତ୍ର ପ୍ରତ୍ୟାହାର କରାଯିବାର କାରଣ ଏବଂ ଏହି ପଦକ୍ଷେପ ନିୟମସମ୍ମତ ଥିଲା କି ନାହିଁ, ତାହା ମଧ୍ୟ ଶୁଣାଣିରେ ଗୁରୁତ୍ୱ ପାଇଥିଲା।

ଡିଜିପି ଚୟନ ପ୍ରକ୍ରିୟାରେ ୟୁପିଏସସିର ରୁଲ୍‌ ୨-ଏ ଓ ୨-ବିର ଅନୁପାଳନ ହୋଇଛି କି ନାହିଁ, ତାହା ମଧ୍ୟ ମାମଲାର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ଥିଲା। ୨୦୦୬ର ‘ପ୍ରକାଶ ସିଂ’ ରାୟ ଏବଂ ଏହା ଆଧାରରେ ୨୦୧୮ ଓ ୨୦୧୯ରେ ପ୍ରସ୍ତୁତ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ସରକାର ବରିଷ୍ଠତା ଆଧାରରେ ଆଇପିଏସ୍ ଅଧିକାରୀଙ୍କ ତାଲିକା ୟୁପିଏସସିକୁ ପଠାଇଥିଲେ କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲା ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିଛନ୍ତି।

ଏହି ମାମଲା ସହ ଜଡ଼ିତ ଭାବେ ଆସନ୍ତା ଅକ୍ଟୋବର ୮ ତାରିଖରେ ଝାଡ଼ଖଣ୍ଡ ଡିଜିପି ଚୟନକୁ ନେଇ ଏକ ସମାନ ମାମଲାର ଶୁଣାଣି ରହିଛି। ଝାଡ଼ଖଣ୍ଡ ମାମଲାର ଶୁଣାଣି ପରେ ଉଭୟ ମାମଲାରେ ଏକସଙ୍ଗେ ରାୟ ପ୍ରକାଶ କରାଯିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *